ଶଙ୍ଖ ଧରିଲେ ଅରବିନ୍ଦ ମହାପାତ୍ର

ଆଜି ବିଜେଡିରେ ଯୋଗଦାନ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର।

ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

ଭୁବନେଶ୍ବର, ୦୭/୦୩/୨୦୨୪: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗୁରୁବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ଅରବିନ୍ଦ। ଅରବିନ୍ଦ ନବୀନ ନିବାସରେ ପହଞ୍ଚିବା ପୂର୍ବରୁ ପାଟକୁରା ନିର୍ବାଚନ ମଣ୍ଡଳୀର ତାଙ୍କ ସମର୍ଥକମାନେ ନବୀନ ନିବାସରେ ଡେରା ପକାଇଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲାର ବିଜେଡି ନେତା, ବିଧାୟକ ଓ ପର୍ଯ୍ୟବେକ୍ଷକମାନଙ୍କୁ ପୂର୍ବାହ୍ନ ୧୧ଟା ସୁଦ୍ଧା ନବୀନ ନିବାସରେ ଯୋଗଦେବାକୁ କୁହାଯାଇଥିଲା। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହେଲେ ଅରବିନ୍ଦ।

ବର୍ତ୍ତମାନ ରାଜନୈତିକ ସମୀକରଣ ବଦଳୁଥିବା ବେଳେ ଗତ କିଛିଦିନ ତଳେ ବରିଷ୍ଠ ନେତା ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି ବିଜେଡିରେ ଯୋଗ ଦେଇଥିବା ବେଳେ ଆଜି ଅରବିନ୍ଦ ମହାପାତ୍ର ବିଜେଡିରେ ଯୋଗ ଦେଇଛନ୍ତି। ଗୋଟିଏ ପଟେ ବିଜେଡି ବିଜେପିର ମେଣ୍ଟ ସମ୍ପର୍କରେ ଆଲୋଚନା ଚାଲୁଥିବା ବେଳେ ଆଉ ଗୋଟିଏ ପଟେ ବିଜେଡିରେ ଯୋଗ ଦେଇଛନ୍ତି ଅରବିନ୍ଦ। ନିହାତି ଭାବରେ ରାଜ୍ୟ ରାଜନୀତିରେ ଏହାର ବିଶେଷ ପ୍ରଭାବ ପକାଇବ ବୋଲି ଜଣା ପଡୁଛି। ତେବେ ତାଙ୍କୁ ରାଜନଗର ପଟୁ ବିଧାୟକ ଟିକେଟ ମିଳିବ କି ପାଟକୁରା ନିର୍ବାଚନ ମଣ୍ଡଳୀରୁ ସେ ଲଢିବେ ସେ ନେଇ ଚର୍ଚ୍ଚା ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ବିଜୟ ମହାପାତ୍ର ବିଜେପିରେ ଥିବା ବେଳେ ତାଙ୍କ ପୁଅର ବିଜେଡିରେ ପ୍ରବେଶକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଗତ ବର୍ଷେ ହେବ ଅରବିନ୍ଦ ପାଟକୁରାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଜନ ସଭାରେ ମଧ୍ୟ ସାମିଲ ହେଉଥିଲେ। ଯାହାଫଳରେ ଅରବିନ୍ଦଙ୍କ ବିଜେଡିରେ ମିଶିବା ନେଇ ଜୋର ଚର୍ଚ୍ଚା ହୋଇଥିଲା।

ବିଜୟ ମହାପାତ୍ର ୧୯୯୦ ମସିହାରେ ପ୍ରଥମେ ବିଜୁ ପଟ୍ଟନାୟକ ସରକାରରେ ମନ୍ତ୍ରୀ ଥିବା ବେଳେ ୨୦୦୦ ମସିହାରେ ବିଜେଡିରୁ ବହିଷ୍କୃତ ହୋଇଥିଲେ। ପରେ ୨୦୦୧ ମସିହାରେ ବିଜୟ ଏକ ଆଞ୍ଚଳିକ ଦଳ ଓଡ଼ିଶା ଗଣ ପରିଷଦ ଗଠନ କରିଥିଲେ। ତେବେ ବିଜେଡିରେ ଥିବା ତାଙ୍କ ଅଧିକାଂଶ ସମର୍ଥକ କ୍ଷମତା ହରାଇବାକୁ ଚାହୁଁ ନଥିବାରୁ ଏଥିରେ ଯୋଗ ଦେଇନଥିଲେ। ପରେ ବିଜୟ ନିଜ ଦଳକୁ ଏନସିପିରେ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଓଡ଼ିଶାରେ ଏହାର ମୁଖ୍ୟ ହୋଇଥିଲେ। ତେବେ ୨୦୦୯ ନିର୍ବାଚନ ପୂର୍ବରୁ ଏନସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାୱାର ବିଜେଡି ସହ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାର ପ୍ରତିବାଦରେ ବିଜୟ ୨୦୦୯ରେ ଏନସିପିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ବିଜୟ ମହାପାତ୍ର ଏବେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଅଛନ୍ତି।