ମିଟ୍ସ, ଗ୍ୱାଲିୟରକୁ ଡିମଡ୍ ୟୁନିଭର୍ସିଟି ମାନ୍ୟତା ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଡିହେଲେ କେନ୍ଦ୍ରମନ୍ତ୍ରୀ

• ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଓ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧ୍ୟାଙ୍କ ସହ ଭିସି ଜରିଆରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ • ମିଟ୍ସ, ଗ୍ୱାଲିୟରରେ ଶ୍ରୀମନ୍ତ ମାଧବ ରାଓ ସିନ୍ଧିଆ ନଲେଜ୍ ସେଣ୍ଟର ଲୋକାର୍ପିତ • ମଧ୍ୟପ୍ରଦେଶରେ ଆଷ୍ଟ୍ରୋ ଫିଜିକ୍ସ, ଆଷ୍ଟ୍ରୋନୋମୀ ଓ ମେଗା କମ୍ପ୍ୟୁଟିଂର ନୂଆ ଦୁନିଆ ତିଆରି ହେଉଛି • ମିଟ୍ସ, ଗ୍ୱାଲିୟର ପରମ୍ପରାଗତ ଜ୍ଞାନ ସହ ଆଧୁନିକ ସମାଜର ଆବଶ୍ୟକତାକୁ ପୂରଣ କରିବ

ନାଗରିକଙ୍କ ଜୀବନକୁ ସୁଗମ କରିବା ପାଇଁ ବିଶ୍ୱବିଦ୍ୟାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ମାର୍ଚ୍ଚ ୧୦ – ସମାଜରେ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଲୋକଙ୍କ ଜୀବନକୁ ସୁଗମ କରିବା ଦିଗରେ ମୂଳ ଚିନ୍ତନ କରିବାର ଦାୟିତ୍ୱ ବିଶ୍ୱବିଦ୍ୟାଳୟର ବୋଲି ରବିବାର ମାଧବ ଇନଷ୍ଚିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ସାଇନ୍ସ ସେଣ୍ଟର, ଗ୍ୱାଲିୟରର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡିହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମିଟ୍ସ, ଗ୍ୱାଲିୟରରେ ଶ୍ରୀମନ୍ତ ମାଧବ ରାଓ ସିନ୍ଧିଆ ନଲେଜ ସେଣ୍ଟରର ଲୋକାର୍ପଣ ଏବଂ ଏହି ସଂସ୍ଥାକୁ ଡିମଡ୍ ୟୁନିଭର୍ସିଟି ମାନ୍ୟତା ନେଇ ଆୟୋଜିତ ସମାରୋହରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମାଧବ ଇନଷ୍ଚିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ସାଇନ୍ସ ସେଣ୍ଟର, ଗ୍ୱାଲିୟର ଡିମଡ୍ ୟୁନିଭର୍ସିଟିର ମାନ୍ୟତା ପାଇଁ ଆମ ପାଇଁ ଗୌରବର କ୍ଷଣ । ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ କରକମଳରେ ଏହି ଶିକ୍ଷାନୁଷ୍ଠାନର ଶିଳାନ୍ୟାସ ହୋଇଥିବା ବେଳେ ଏହାର ଲୋକାର୍ପଣ ପୂର୍ବତନ ରାଷ୍ଟ୍ରପତି ଡା. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଦ୍ୱାରା ହୋଇଥିଲା । ଏହି ଅନୁଷ୍ଠାନରେ ଅନେକ ବିଦ୍ୱାନ ବ୍ୟକ୍ତିମାନେ ପାଠ ପଢି ଦେଶର ଗୌରବମୟ ଯାତ୍ରାରେ ସାମିଲ ହୋଇଛନ୍ତି।

ଦୁଇ ଦିନ ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଇଆଇଟି ଇନ୍ଦୋର ଓ ସରକାରୀ ଇଞ୍ଜିନିୟର କଲେଜ, ଉଜ୍ଜେନ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଅଧିକ ପ୍ରୋତ୍ସାହିତ କରିବା ଭାରତ ସରକାରଙ୍କ ଲକ୍ଷ୍ୟ ରହିଥିବା ବେଳେ ଏହାକୁ ଆମକୁ ପ୍ରାଥମିକତା ଦେବାକୁ ହେବ । ଆଗାମୀ ଦିନରେ ମଧ୍ୟପ୍ରଦେଶରେ ଆଷ୍ଟ୍ରୋ ଫିଜିକ୍ସ, ଆଷ୍ଟ୍ରୋନୋମୀ ଓ ମେଗା କମ୍ପ୍ୟୁଟିର ନୂଆ ଦୁନିଆ ବନାଉଛେ । ଏହି ମର୍ମରେ ମିଟ୍ସ, ଗ୍ୱାଲିୟର ପରମ୍ପରାଗତ ଜ୍ଞାନ ସହ ଆଧୁନିକ ସମାଜର ଆବଶ୍ୟକତା ଅନୁସାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହେଉଥିବା ବେଳେ ଷ୍ଟେମ ଶିକ୍ଷାରେ ଛାତ୍ରୀଙ୍କ ନାମଲେଖା ବୃଦ୍ଧି ପାଇବା ଶୁଭ ଲକ୍ଷଣ । ସମାଜରେ ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ସମାନ ଭାବରେ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି । ବିଶେଷ ଭାବରେ ଯେତେବେଳେ ଭାରତ ଏକ ବୃହତମ ଅର୍ଥନୀତିକୁ ପ୍ରବେଶ କରୁଛି, ସେ ସମୟରେ ଯୁବଶକ୍ତିଙ୍କୁ ବଡ ଲମ୍ଫ ଦେବାକୁ ହେବ । ବିକଶିତ ଭାରତ ପାଇଁ ଆମକୁ ସେହିଭଳି ଭିତ୍ତିଭୂମି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।