ପଖାଳ ଓଡ଼ିଶାର ସାଂସ୍କୃତିକ ପରିଚୟ ଓ ଖାଦ୍ୟପେୟ ଐତିହ୍ୟର ଅବିଚ୍ଛେଦ୍ୟ ଅଙ୍ଗ: ଧର୍ମେନ୍ଦ୍ର ପ୍ରଧାନ

• ପଖାଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ମଧ୍ୟରୁ ଅନ୍ୟତମ • ବନ୍ଧୁମାନଙ୍କ ସହ ପଖାଳ ଖାଇବାର ଖୁସି ନିଆରା • ଏହି ନିଚ୍ଛକ ଓଡ଼ିଆ ଖାଦ୍ୟର ବିଶେଷତ୍ୱ ଓ ସ୍ୱାସ୍ଥ୍ୟ ଉପକାରିତା ଜାଣିବା ପରେ ନିଜର ଜୀବନପ୍ରବାହରେ ସାମିଲ କରିଛନ୍ତି, ଯାହା ଖୁସିର ବିଷୟ • ପ୍ରତ୍ୟେକ ଓଡ଼ିଆଙ୍କ ପ୍ରାଣ ପଖାଳ, ଏହା ଆମର ଅସ୍ମିତା ଓ ଖାଦ୍ୟପେୟର ଅନନ୍ୟ ପ୍ରତୀକ

ବନ୍ଧୁ ମାନଙ୍କ ସହ ପଖାଳ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ / ଭୁବନେଶ୍ୱର, ମାର୍ଚ୍ଚ ୨୦: ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବନ୍ଧୁମାନଙ୍କ ସହ ‘ପଖାଳ ଦିବସ’ ପାଳନ କରିଛନ୍ତି ।

ରାଜ୍ୟସଭା ଉପାଧ୍ୟକ୍ଷ ତଥା ଭାରତର ବିଶିଷ୍ଟ ସାମ୍ବାଦିକ ହରିବଂଶ ନାରାୟଣ ସିଂହ , ପୂର୍ବତନ ରାଷ୍ଟ୍ରଦୂତ ତରଣଜିତ୍ ସିଂ ସିନ୍ଧୁ, ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ପ୍ରଫେସର କିଶୋର କୁମାର ବାସାଙ୍କ ସହ ପଖାଳ ଖାଇ ଖୁସିବ୍ୟକ୍ତ କରିବା ସହ ଏହି ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ ବନ୍ଧୁମାନଙ୍କ ସହ ପଖାଳ ଖାଇବାର ଖୁସି ନିଆରା । ପଖାଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ମଧ୍ୟରୁ ଅନ୍ୟତମ । ଏହା ଆମ ଓଡ଼ିଶାର ସାଂସ୍କୃତିକ ପରିଚୟ ଓ ଖାଦ୍ୟପେୟ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଅନେକ ଲୋକମାନେ ଏହି ନିଚ୍ଛକ ଓଡ଼ିଆ ଖାଦ୍ୟର ବିଶେଷତ୍ୱ ଓ ସ୍ୱାସ୍ଥ୍ୟ ଉପକାରିତା ଜାଣିବା ପରେ ନିଜର ଜୀବନପ୍ରବାହରେ ସାମିଲ କରିଛନ୍ତି, ଯାହା ଖୁସିର ବିଷୟ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଆମ ଓଡ଼ିଆଙ୍କ ଜନଜୀବନରେ ଖାଦ୍ୟର ସ୍ଥାନ ସ୍ୱତନ୍ତ୍ର ଓ ପଖାଳ ସେଥିମଧ୍ୟରୁ ଅନ୍ୟତମ । ପ୍ରତ୍ୟେକ ଓଡ଼ିଆଙ୍କ ପ୍ରାଣ ପଖାଳ । ଏହା ଆମର ଅସ୍ମିତା ଓ ଖାଦ୍ୟପେୟର ଅନନ୍ୟ ପ୍ରତୀକ ।