ହାତ ଛାଡିଲେ ଚିରଞ୍ଜୀବ ବିଶ୍ୱାଳ

ଆଜି କଂଗ୍ରେସରୁ ଇସ୍ତଫା ଦେଲେ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ।

ଦୁଇ ଥର ବିଧାୟକ ରହିଥିଲେ ଚିରଞ୍ଜୀବ

ଭୁବନେଶ୍ବର, ୩୦/୦୩/୨୦୨୪: ସାଧାରଣ ନିର୍ବାଚନ ପୂର୍ବରୁ ଏବେ ଚାଲିଛି ଦଳ ଅଦଳ ବଦଳ ପର୍ବ। ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଆଜି ଦଳରୁ ଏବଂ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଚିରଞ୍ଜୀବ ତାଙ୍କ ଇସ୍ତଫା ପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି।

କଂଗ୍ରେସର ବରିଷ୍ଠ ନେତା ତଥା ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ପୁଅ ଚିରଞ୍ଜୀବ ବିଶ୍ୱାଳ ୨୦୦୪ ନିର୍ବାଚନରେ ତିର୍ତ୍ତୋଲରୁ କଂଗ୍ରେସ ଟିକେଟରେ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ଏହାବ୍ୟତୀତ ୨୦୧୪ ବିଧାନସଭା ନିର୍ବାଚନରେ ସେ ଜଗତସିଂହପୁରରୁ ବିଜୟୀ ହୋଇଥିଲେ। ସେ ଦୁଇ ଥର ବିଧାୟକ ପଦରେ ରହିଥିଲେ। ତେବେ ପରେ କେଉଁ ଦଳରେ ଯୋଗ ଦେବେ ସେନେଇ କୌଣସି ପ୍ରକାର ସୂଚନା ମିଳି ପାରିନାହିଁ।