ବିଜେଡି ଛାଡୁଛନ୍ତି ସିନେଷ୍ଟାର

ରାଜନେତା ହୋଇଥିବା ଅଭିନେତା ମାନେ ଏବେ ବିଜେଡି ଛାଡୁଛନ୍ତି।

ଶଙ୍ଖକୁ ଅଲବିଦା କଲେ ଅନୁଭବ-ଆକାଶ ଦାସ

ଭୁବନେଶ୍ବର, ୩୦/୦୩/୨୦୨୪: ନିର୍ବାଚନୀ ମାହୋଲ ଭିତରେ ଏବେ ବିଭିନ୍ନ ରାଜନେତା ଦଳ ଛାଡ଼ୁଥିବା ଦେଖିବାକୁ ମିଳୁଛି। ବିଶେଷ କରି ବିଜେଡି ଛାଡୁଛନ୍ତି କେତେକ ହେଭିୱେଟ ନେତା। ୨୦୨୪ ନିର୍ବାଚନ ପାଇଁ ଟିକେଟ ମିଳିନଥିବାରୁ ଏବଂ ଅବହେଳା କରା ଯାଉଥିବାରୁ ପ୍ରାୟତଃ ଦଳ ଛାଡୁଛନ୍ତି। ଅନ୍ୟ ଦଳରେ ଟିକେଟ ପାଇବା ଆଶାରେ ଏ ଦଳରୁ ସେ ଦଳକୁ ଡିଆଁ ମାରୁଛନ୍ତି। ଆଜି ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡିବା ପରେ ପୁଣି ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି ଅନୁଭବ ମହାନ୍ତି ଓ ଆକାଶ ଦାସ ନାୟକ।

ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ଇସ୍ତଫା ପତ୍ର। ୨୦୧୯ରେ କେନ୍ଦ୍ରାପଡ଼ାରୁ ସାଂସଦ ଥିଲେ ଅନୁଭବ ମହାନ୍ତି। ଅନୁଭବ ପୂର୍ବରୁ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ। ଇସ୍ତଫା ପତ୍ରରେ ଦଳ ଛାଡିବାର କାରଣ ଦର୍ଶାଇ ନଥିଲେ ବି ଦଳରେ କୋଣଠେସା ନୀତି ଚାଲୁଥିବାରୁ ସେ ଅସନ୍ତୁଷ୍ଟ ଥିଲେ ବୋଲି ସୂଚନା ମିଳିଛି।

ସେହିପରି ଯାଜପୁର କୋରେଇ ନିର୍ବାଚନ ମଣ୍ଡଳୀରୁ ୨୦୧୪ରୁ ୨୦୧୯ ଯାଏଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଆକାଶ ଦାସନାୟକ। ତା ସହିତ ବିଜେଡିର ‘ମୋ କଲେଜ’ ଅଭିଯାନରେ ସେ ଚେୟାରମ୍ୟାନ୍ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ବିଜେଡି ଛାଡିବା ପରେ ସେ କେଉଁ ଦଳକୁ ଯିବେ ତା ନେଇ ସୂଚନା ଆସିନାହିଁ। ତେବେ ସେ ଦଳ ଛାଡିବା ପଛରେ କହିଛନ୍ତି ଯେ ମୁଁ ଆଜି ମୋ ଅନ୍ତର ଆତ୍ମାର ସ୍ୱର ଶୁଣିଛି। ମୋର ଆତ୍ମ ସମ୍ମାନ ପାଇଁ ଆଜି ମୁଁ ଦଳରୁ ଇସ୍ତଫା ଦଉଛି।

ଅନ୍ୟପକ୍ଷରେ ଅନୁଭବ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ସେ ବିଜେପିରେ ଯୋଗ ଦିଅନ୍ତି ତାହାଲେ କେଉଁ ଆସନରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିବ ସେ ନେଇ ପ୍ରଶ୍ନ ଉଠିଛି।