ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ

ଶାନ୍ତିଲତା ବାରିକଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ପରଲୋକ ହୋଇଥିବାର ସ୍ୱାମୀ ବସନ୍ତ କୁମାର ଛୋଟରାୟ ସୂଚନା ଦେଇଛନ୍ତି।

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର, ୦୧/୦୪/୨୦୨୪: ବିଶିଷ୍ଟ ଓଡ଼ିଆ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ସୋମବାର ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଛି। ଏ ନେଇ ତାଙ୍କ ସ୍ୱାମୀ ବସନ୍ତ କୁମାର ଛୋଟରାୟ ସୂଚନା ଦେଇଛନ୍ତି। ଶାନ୍ତିଲତା ବାରିକ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଛି।

ଏହି ବିଶିଷ୍ଟ କଣ୍ଠ ଶିଳ୍ପୀ ଶାନ୍ତିଲତା ବାରିକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଣେ ଲୋକପ୍ରିୟ ଭଜନ ଗାୟିକା ଶାନ୍ତି ଲତା ବାରିକ ଜଗନ୍ନାଥ ଙ୍କ ର ଅନନ୍ୟ ଭକ୍ତ ଥିଲେ। ଭାବପୂର୍ଣ୍ଣ କଣ୍ଠରେ ତାଙ୍କ ଜଗନ୍ନାଥ ଭଜନ ପାଇଁ ଓଡିଶାର ଘରେ ଘରେ ସେ ସୁପରିଚିତ ଥିଲେ। ତାଙ୍କ ଭଜନ ଥିଲା ଭକ୍ତି ଓ ସମର୍ପଣର ସଂଗୀତମୟ ନିବେଦନ। ତାଙ୍କ ସ୍ୱର ପରିବେଶକୁ ଭକ୍ତିମୟ କରିବା ସହ ଶ୍ରୋତାଙ୍କ ହୃଦୟରେ ଭାବାବେଗ ସୃଷ୍ଟି କରି ପାରୁଥିଲା। ତାଙ୍କର ବିୟୋଗ ଓଡ଼ିଶାର ସାଂସ୍କୃତିକ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶାନ୍ତିଲତା ବାରିକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ସ୍ୱର୍ଗତ ଶାନ୍ତିଲତା ବାରିକଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।