ଓଡ଼ିଶା ସୀମାରେ ୪ ମାଓବାଦୀ ନିହତ

ଛତିଶଗଡ଼ର ବିଜାପୁର ଜିଲ୍ଲାର ଗଙ୍ଗାଲୁର ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି।

ଅନେକ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୦୨/୦୪/୨୦୨୪: ଓଡିଶାର ମାଲକାନଗିରି ଜିଲ୍ଲା ନିକଟ ସୀମାନ୍ତବର୍ତ୍ତୀ ଛତିଶଗଡ଼ରେ ସୁରକ୍ଷାବାହିନୀ ଦ୍ୱାରା ଏନକାଉଣ୍ଟରରେ ୪ ଜଣ ମାଓ କ୍ୟାଡର ନିହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ର ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା ଅନ୍ତର୍ଗତ ଧାମି ଗାଁ ନିକଟ ଜଙ୍ଗଲରେ ଡିୱାଇଆରଜି, ଏସଆଇଆରପିଏଫ, କୋବ୍ରା, ବସ୍ତର ଫାଇଟର୍ସ ଏବଂ ବସ୍ତର ବାଟାଲିୟନର ଯବାନଙ୍କୁ ନେଇ ଗଠିତ ସୁରକ୍ଷା ବାହିନୀ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସେହି ଜଙ୍ଗଲରେ ପୂର୍ବରୁ ଲୁଚି ରହିଥିବା ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ବିନିମୟରେ ୪ ଜଣ ମାଓବାଦୀ ନିହତ ହୋଇଥିଲେ।

ସୁରକ୍ଷାବାହିନୀ ସେଠାରୁ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।