ବିଜେଡିରେ ମିଶିଲେ ପୂର୍ବତନ ବଲାଙ୍ଗୀର ବିଜେପି ସଭାପତି

ପୂର୍ବତନ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ପ୍ରଭାସ ପାଣିଗ୍ରାହୀ ବିଜେଡ଼ିରେ ଯୋଗଦେଲେ।

ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ

ଭୁବନେଶ୍ୱର, ୧୦/୦୪/୨୦୨୪: ପୂର୍ବତନ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ପ୍ରଭାସ ପାଣିଗ୍ରାହୀ ଆଜି ବିଜେଡିରେ ଯୋଗ ଦେଲେ। ଶଙ୍ଖଭବନ ଠାରେ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବିଜେଡିରେ ମିଶିଲେ ପ୍ରଭାସ। ପୂର୍ବତନ ବଲାଙ୍ଗୀର ସାଂସଦ ତଥା ବଲାଙ୍ଗୀର ବିଧାନସଭା ଆସନର ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ସିଂହଦେଓ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଏହି ମିଶ୍ରଣ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହା ସହ ସହିତ ଅନ୍ୟ ଦୁଇ ବରିଷ୍ଠ ନେତା ସ୍ୱରମ୍ୟ ବବି ମିଶ୍ର ଏବଂ ବିନୋଦ ବିହାରୀ ନାଗ ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ ।

ଏହି ଅବସରରେ ପ୍ରଭାସ ପାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି ।