ବିଜେଡ଼ିରେ ଯୋଗଦେଲେ ଦଶପଲ୍ଲା ପୌରପାଳିକାର ଅଧ୍ୟକ୍ଷା ଇଂ ପୁନମ ପ୍ରିୟଦର୍ଶିନୀ

ବିଜେଡିର ମୁଖ୍ୟାଳୟ ଶଙ୍ଖ ଭବନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।

ନବୀନ ବାବୁଙ୍କ ହାଥମୁଠା ଟାଣ କରିବି: ପୁନମ

ଭୁବନେଶ୍ୱର, ୧୦/୦୪/୨୦୨୪: ଦଶପଲ୍ଲା ପୌରପାଳିକାର ଅଧ୍ୟକ୍ଷା ଇଂ ପୁନମ ପ୍ରିୟଦର୍ଶୀନୀ ଆଜି ଶଙ୍ଖଭବନଠାରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଅରୁଣ ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ୨୦୨୨ ପୌର ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ଇଂ ପୁନମ ପ୍ରିୟଦର୍ଶିନୀ । ଦଳରେ ସାମିଲ୍ ହୋଇଥିବା ଇଂ ପୁନମ ପ୍ରିୟଦର୍ଶିନୀଙ୍କୁ ଶ୍ରୀ ସାହୁ, ଶ୍ରୀ ବେହେରା ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ଇଂ ପୁନମ ପ୍ରିୟଦର୍ଶିନୀଙ୍କ ଯୋଗଦାନ ଫଳରେ ବିଶେଷକରି ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ସାହୁ, ଶ୍ରୀ ବେହେରା ଓ ଡକ୍ଟର ପାତ୍ର କହିଥିଲେ ।

ଏହି ଅବସରରେ ପୁନମ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ସ୍ୱାଧୀନ ଭାବେ ଲଢ଼ି ମଧ୍ୟ ବିଜେଡ଼ିକୁ କେବେ ବିରୋଧୀ କରିନାହିଁ । ନବୀନ ପଟ୍ଟନାୟକ ଓ ବିଜୁ ବାବୁଙ୍କୁ ଆଦର୍ଶ ଭାବି ନିର୍ବାଚନ ଲଢ଼ିଛି । ନବୀନ ବାବୁଙ୍କ ହାତମୁଠା ଟାଣ କରିବି । ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ପ୍ରୟାସ କରିବି । ଦଶପଲ୍ଲା ପୌରପାଳିକାକୁ ଆହୁରି ଆଗକୁ ନେବାକୁ ପ୍ରୟାସ କରିବି । ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି ।