ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଚିନ୍ତାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ

ସୋସିଆଲ ମିଡ଼ିଆ ସାଇଟ ଏକ୍ସରେ ଟ୍ୱିଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୋଲିସ ଅଧିକାରୀଙ୍କୁ ହେଉଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି।

୨୫ ବର୍ଷ ପରେ ବି ପୋଲିସ ଅସୁରକ୍ଷିତ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୨/୦୪/୨୦୨୪: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ। ଆଇନ ରକ୍ଷକ ଏଠାରେ ନିଜେ ଅସୁରକ୍ଷିତ। ଅପରାଧୀକୁ ଧରିବାରୁ ନିଜେ ଅପରାଧର ଶିକାର ହେଉଛନ୍ତି ପୋଲିସ ଅଧିକାରୀ। ପୋଲିସ ଉପରେ ସଂଘବଦ୍ଧ ଆକ୍ରମଣ ହେଉଛି। ନିକଟରେ ବରଗଡ଼ ଜିଲ୍ଲାର ଝାରବନ୍ଧ ଥାନା ଅନ୍ତର୍ଗତ ନିତ୍ୟାନନ୍ଦପୁର ଗାଁରେ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିବାକୁ ଯାଇଥିବା ସମୟରେ ଝାରବନ୍ଧ ପୋଲିସ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛି। ଏହା ସହ ଜଣେ ମହିଳା ଥାନା ଅଧିକାରୀଙ୍କୁ ଏକ ବନ୍ଦ ଘରେ ଭର୍ତ୍ତି କରି ବାହାରୁ ତାଲା ପକାଇ ଦେଇଛନ୍ତି ଗଞ୍ଜେଇ ମାଫିଆ। ଏହି ଘଟଣାକୁ ନେଇ ରାଜ୍ୟରେ ତୀବ୍ର ନିନ୍ଦା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ତାଙ୍କ ସୋସିଆଲ ମିଡ଼ିଆ ସାଇଟରେ ଏହି ଘଟଣାଟି ପ୍ରକାଶିତ ହୋଇଥିବା ଏକ ଆଞ୍ଚଳିକ ଖବରକାଗଜର କପି ପୋଷ୍ଟ କରିଛନ୍ତି। ଏଥିରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି କିପରି ବିପର୍ଯ୍ୟସ୍ତ ହୋଇଛି ଏବଂ ପୋଲିସ ଅଧିକାରୀ କିପରି ଅସୁରକ୍ଷିତ ଅଛନ୍ତି ସେ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହା ସହ ସେ ସିଧା ସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ରାଜ୍ୟ ସରକାରଙ୍କ ୨୫ ବର୍ଷର ଶାସନର ଉପଲବ୍ଧି ହେଉଛି ପୋଲିସମାନଙ୍କ ଅସୁରକ୍ଷିତ ଅବସ୍ଥା।