ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଇସିଆଇଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ହୋଇଛି ବିଜେଡି।

ଥମୁନି ପ୍ରଶାନ୍ତଙ୍କ ଗୁଣ୍ଡାଗର୍ଦ୍ଦି!

ଭୁବନେଶ୍ବର, ୧୨/୦୪/୨୦୨୪: ବିଜେପି ନେତା ତଥା ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ହେଲା ବିଜେଡି। ଗତ କାଲି ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆର ଛଣଗିରିରେ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସହ ପ୍ରଚାର କରୁଥିବା ସମୟରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ବ୍ୟକ୍ତିଗତ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି ପ୍ରଶାନ୍ତ। ଏହା ସହ ସାମ୍ବାଦିକଙ୍କ ମୋବାଇଲ ଛଡାଇ ନେଇଯିବା ସହ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଛନ୍ତି।

ଅନ୍ୟପକ୍ଷରେ ସାମ୍ବାଦିକ ଜଣକ ଜଙ୍କିଆ ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ଦାୟର ମଧ୍ୟ କରିଥିଲେ। କିନ୍ତୁ ବିଧାୟକ ଜଙ୍କିଆ ଥାନାର ଆଇଆଇସିଙ୍କୁ ସେ ଏଫ୍ଆଇଆର ଚିରିବାକୁ କହିବା ସହ ଯଦି, ନ ଚିରନ୍ତି ତାହାଲେ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଧମକ ମଧ୍ୟ ଦେଇଛନ୍ତି। ଏ ନେଇ ଆଜି ବିଜେଡି ନେତାମାନେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଯାଇ ଅଭିଯୋଗ କରିବା ସହ ଏହି ଘଟଣା ସଂକ୍ରାନ୍ତରେ ହସ୍ତକ୍ଷେପ କରି ତୁରନ୍ତ ତଦନ୍ତ କରିବାକୁ ଦାବି କରିଛନ୍ତି।

ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରିରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରଚାର କରୁଥିଲେ। ସେହି ସମୟରେ ସ୍ଥାନୀୟ ଜନସାଧାରଣ ଅପରାଜିତାଙ୍କୁ ଜଙ୍କିଆର ଉନ୍ନତିକରଣ ନେଇ ପ୍ରଶ୍ନ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା ସାମ୍ବାଦିକ ପ୍ରକାଶ ହାତୀ ଏହି ଦୃଶ୍ୟକୁ ନିଜ ମୋବାଇଲ୍‌ରେ ରେକର୍ଡିଂ କରୁଥିଲେ। କିନ୍ତୁ ପ୍ରଶାନ୍ତ ସେଥିରେ ଉତକ୍ଷିପ୍ତ ହୋଇ ସାମ୍ବାଦିକ ପ୍ରକାଶଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କ ମୋବାଇଲ ଛଡାଇ ନେଇଥିଲେ। ଆକ୍ରମଣ ଦ୍ୱାରା ପ୍ରକାଶଙ୍କ ବେକ, ପିଠି ଓ ଗୋଡରେ ଗଭୀର ଆଘାତ ଲାଗିଥିଲା। ଏହା ସହ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ ପ୍ରଶାନ୍ତ। ଏ ନେଇ ପ୍ରକାଶ ଜଙ୍କିଆ ଥାନାରେ ପ୍ରଶାନ୍ତଙ୍କ ବିରୋଧରେ ଏଫ୍ଆଇଆର ଦାୟର କରିଛନ୍ତି। କିନ୍ତୁ ଏହି ଏତଲାକୁ ଆଧାର କରି କୌଣସି କାର୍ଯ୍ୟନୁଷ୍ଠାନ ନ ନେବା ପାଇଁ ଜଙ୍କିଆ ଥାନା ଆଇଆଇସିଙ୍କୁ ଚେତାବନୀ ଦେବା ସହ ଏଫ୍ଆଇଆରକୁ ଯଦି ନ ଚିରନ୍ତି ତାହାଲେ ଇସିଆଇଙ୍କୁ କହି ଅନ୍ୟତ୍ର ବଦଳି କରାଇ ଦେବା ପାଇଁ ଧମକ ଦେଇଥିଲେ।