ବିଜେଡ଼ିରେ ଯୋଗଦେଲେ ବ୍ରହ୍ମଗିରି ବିଜେପି ମଣ୍ଡଳ ସଭାପତି

ବିଜେଡି ମୁଖ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।

ଶତାଧିକ ବିଜେପି ନେତା ସାମିଲ

ଭୁବନେଶ୍ୱର, ୧୨/୦୪/୨୦୨୪: ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ବ୍ରହ୍ମଗିରି ବିଜେପି ମଣ୍ଡଳ ସଭାପତି ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟଙ୍କ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନଠାରେ ପୂର୍ବତନ ମନ୍ତ୍ରୀ ତଥା ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଡକ୍ଟର ସସ୍ମିତ ପାତ୍ର ଓ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା କୃଷ୍ଣଚନ୍ଦ୍ର ରାୟ ଏବଂ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ଦାସବର୍ମା, ଶ୍ରୀ ମଙ୍ଗରାଜ, ଡକ୍ଟର ପାତ୍ର ଓ ଶ୍ରୀ ସାମନ୍ତରାୟ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଦାସବର୍ମା, ଶ୍ରୀ ମଙ୍ଗରାଜ, ଡକ୍ଟର ପାତ୍ର ଓ ଶ୍ରୀ ସାମନ୍ତରାୟ କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବ୍ରହ୍ମଗିରି ବିଜେପି ମଣ୍ଡଳ ସଭାପତି ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ। ଏହି ମିଶ୍ରଣ ପର୍ବରେ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ।