ବିଜେଡ଼ିରେ ଯୋଗଦେଲେ କଂଗ୍ରେସ ନେତା ପ୍ରମୋଦ ହରିଚନ୍ଦନ

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ନିର୍ବାଚନମଣ୍ଡଳୀର ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପ୍ରମୋଦ ହରିଚନ୍ଦନଙ୍କ ସମେତ ଶତାଧିକ କଂଗ୍ରେସ ଓ ବିଜେପି କର୍ମକର୍ତ୍ତା ବିଜେଡିରେ ସାମିଲ ହୋଇଛନ୍ତି।

ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ

ଭୁବନେଶ୍ୱର, ୧୨/୦୪/୨୦୨୪: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ନିର୍ବାଚନମଣ୍ଡଳୀର ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପ୍ରମୋଦ ହରିଚନ୍ଦନଙ୍କ ସମେତ ଶତାଧିକ କଂଗ୍ରେସ ଓ ବିଜେପି କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ଭୁବନେଶ୍ୱର ଲୋକସଭାର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ବିଜେଡି ସମ୍ପାଦକ ପ୍ରଦୀପ ସାହୁ ଓ ବିଜେଡି ଜିଲ୍ଲା ଉପସଭାପତି ବିପିନ ଜୟସିଂହଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

ଦଳରେ ସାମିଲ୍ ହୋଇଥିବା କଂଗ୍ରେସ ନେତା ପ୍ରମୋଦ ହରିଚନ୍ଦନ ଏବଂ ଶତାଧିକ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ମଙ୍ଗରାଜ, ଶ୍ରୀ ବଳବନ୍ତରାୟ, ଶ୍ରୀ ରାଉତରାୟ, ଶ୍ରୀ ସାହୁ ଓ ଶ୍ରୀ ଜୟସିଂହ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି କଂଗ୍ରେସ ଓ ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଜଟଣୀ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ମଙ୍ଗରାଜ, ଶ୍ରୀ ବଳବନ୍ତରାୟ, ଶ୍ରୀ ରାଉତରାୟ, ଶ୍ରୀ ସାହୁ ଓ ଶ୍ରୀ ଜୟସିଂହ କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କଂଗ୍ରେସ ନେତା ପ୍ରମୋଦ ହରିଚନ୍ଦନ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଏହି ମିଶ୍ରଣ ପର୍ବରେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ ।