ଭୁବନେଶ୍ବର ପାଳୁଛି ୭୬ତମ ପ୍ରତିଷ୍ଠା ଦିବସ

୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଜବାହରଲାଲ ନେହେରୁଙ୍କ ଦ୍ଵାରା ଭୁବନେଶ୍ୱର ପ୍ରତିଷ୍ଠା କରାଯାଇଥିଲା।

ଉତ୍ସବମୁଖର ରାଜଧାନୀ

ଭୁବନେଶ୍ବର, ୧୩/୦୪/୨୦୨୪: ସ୍ମାର୍ଟ ସିଟି ଭୁବନେଶ୍ୱର। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଆଜି ୭୬ତମ ପ୍ରତିଷ୍ଠା ଦିବସ ପାଳିତ ହେଉଛି। ସବୁଠି ଉତ୍ସବମୁଖର ପରିବେଶ। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ମଧ୍ୟ ଏହି ପ୍ରତିଷ୍ଠା ଦିବସ ପାଳନ କରୁଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଭୁବନେଶ୍ବରକୁ ରାଜଧାନୀରେ ପରିଣତ କରିବା ପାଇଁ ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିଲା। ୧୯୪୯ ମସିହାରେ କଟକରେ ଥିବା ଓଡ଼ିଶା ବିଧାନସଭା ସ୍ଥାନାନ୍ତର ହୋଇ ଭୁବନେଶ୍ୱରକୁ ଆସିଥିଲା। ସେହିପରି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ୧୯୯୪ ମସିହା ଅଗଷ୍ଟ ୧୪ ତାରିଖରେ ସ୍ଥାପିତ ହୋଇଥିଲା। ଲିଙ୍ଗରାଜ ମନ୍ଦିରର ପ୍ରଭୁ ଶିବଙ୍କ ନାମ ଅନୁଯାୟୀ ସଂସ୍କୃତ ଶବ୍ଦ “ତ୍ରିଭୁବନେଶ୍ୱର” ରୁ ଭୁବନେଶ୍ୱର ନାମ ଦିଆଯାଇଛି।

ଇତିମଧ୍ୟରେ ରାଜଧାନୀକୁ ୭୬ ବର୍ଷ ପୂରି ଗଲାଣି। ଏହି ୭୬ ବର୍ଷ ମଧ୍ୟରେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ମନ୍ଦିରମାଳିନୀ ସହରରୁ ସ୍ମାର୍ଟ ସିଟିର ମାନ୍ୟତା ପାଇ ସାରିଛି। ବର୍ଷ ପରେ ବର୍ଷ ଧରି ସମୟ ସହିତ ତାଳ ଦେଇ ଏହି ସ୍ମାର୍ଟ ସିଟିର ହେଉଛି ନବୀକରଣ। ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା ସବୁ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ରାସ୍ତା ଅତିକ୍ରମ କରି ସଫଳତା ଆଡକୁ ମାଡି ଚାଲିଛି ସ୍ମାର୍ଟ ସିଟି ଭୁବନେଶ୍ୱର। ୭୬ ବର୍ଷରେ କେବଳ ଭୁବନେଶ୍ୱରର ଉନ୍ନତୀକରଣ ହୋଇନାହିଁ ବରଂ ଏଠାରେ ପ୍ରତ୍ୟେକ ଲୋକଙ୍କର ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଛି।

ବିଶ୍ୱର ଅନ୍ୟତମ ବିଶିଷ୍ଟ ଜର୍ମାନ ଆର୍କିଟେକ୍ଟ ଏବଂ ଅର୍ବାନ ପ୍ଲାନର ଓଟୋ କୋନିଗ୍ସବର୍ଗର ୧୯୪୮ ମସିହାରେ ମାତ୍ର ୪୦ ହଜାର ଜନବସତି ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିବା ବେଳେ ଏବେ ଏଠାରେ ପ୍ରାୟ ୧ କୋଟି ପାଖାପାଖି ଜନସାଧାରଣ ରହୁଛନ୍ତି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦିନେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଏହି ସହର ଏବେ କଂକ୍ରିଟ ସହର ପାଲଟିଲାଣି। ସହର ଓ ସ୍ଥାପତ୍ୟ ମଧ୍ୟରେ ବୁଡି ରହିଛି ଏହି ସହର। ଏ କଂକ୍ରିଟ ସହରରେ ଗଛ ଦେଖିବା ତ ଦୂରର କଥା। ଛାଇ ଟିକିଏ ମଧ୍ୟ ମିଳୁନାହିଁ। ତା’ ପରେ ବି ଲୋକଙ୍କ ରହିବା ପାଇଁ ଏବେ ପ୍ରଥମ ପସନ୍ଦ ପାଲଟିଛି ଭୁବନେଶ୍ବର।