ଆଜିଠୁ ବଢିଲା ତାତି

ଉତ୍ତର ତଥା ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।

ହିଟ୍-ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର, ୧୫/୦୪/୨୦୨୪: ସପ୍ତାହେ ଆଶ୍ୱସ୍ତି ମିଳିବା ପରେ ଏବେ ପୁଣି ତାତିରେ ଛଟପଟ ହେଲାଣି ଓଡିଶା। ଆଜିଠୁ ତାପମାତ୍ରା ବୃଦ୍ଧି ପାଇଥିବା ପରିଲକ୍ଷିତ ହେଉଛି। ଆଜି ସକାଳୁ ବିଭିନ୍ନ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଛି। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ। ସେହିପରି ଏପ୍ରିଲ ୧୭ ଓ ୧୮ ତାରିଖରେ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ୪୦ରୁ ୪୨ ଡିଗ୍ରି ମଧ୍ୟରେ ରହିବ। ଉତ୍ତର ତଥା ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟରେ ତାତି ବଢୁଥିବାର ଲକ୍ଷ୍ୟ କରାଯାଇଛି।

ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଆଇଏମଡି ଆଜି ପାଇଁ ଢେଙ୍କାନାଳ, ଭଦ୍ରକ, କଟକ, ନୟାଗଡ଼ ଏବଂ ଯାଜପୁର ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଅନ୍ୟପକ୍ଷରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ବାଲେଶ୍ୱର, ମୟୂରଭଞ୍ଜ, ଖୋର୍ଦ୍ଧା ସମେତ ବିଭିନ୍ନ ଜିଲ୍ଲାରେ ତାତି ସହ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି। ଆଇଏମଡି ଅନୁଯାୟୀ, ଭୁବନେଶ୍ଵରରେ ୩୨.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କଟକରେ ସର୍ବାଧିକ ତାପମାତ୍ରା ୩୪.୮ ଡିଗ୍ରୀ ସେଲସିୟସ ରହିଛି। କେନ୍ଦୁଝର, ପୁରୀ ଓ ପାରାଦୀପ- ୩୨ ଡିଗ୍ରୀ, ବାଲେଶ୍ୱର- ୩୧.୮ ଡିଗ୍ରୀ, ଚାନ୍ଦବାଲି-୩୧.୬ ଡିଗ୍ରୀ, ଝାରସୁଗୁଡ଼ା- ୩୦.୮ ଡିଗ୍ରୀ, ହୀରାକୁଦ- ୩୦.୨ ଡିଗ୍ରୀ ଓ ଗୋପାଳପୁରରେ ୨୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଖରାକୁ ଦୃଷ୍ଟିରେ ରଖି ସକାଳ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।