୨୪ରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡିର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ

ହିଞ୍ଜିଳି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ପ୍ରଚାର ଆରମ୍ଭ କରିବା ସହ ନାମାଙ୍କନପତ୍ର ଦାଖଲ କରିବେ।

୩୦ରେ ଭରିବେ ନାମାଙ୍କନପତ୍ର

ଭୁବନେଶ୍ବର,୨୨/୦୪/୨୦୨୪: ପାଖେଇ ଆସୁଛି ନିର୍ବାଚନ। ଖୁବ ଶୀଘ୍ର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ଏପ୍ରିଲ ୨୪ରୁ ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବେ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ୨୪ ତାରିଖରେ ହିଞ୍ଜିଳିରେ ପୂର୍ବାହ୍ନ ସାଢ଼େ ୧୦ଟାରେ ଏକ ସମାବେଶକୁ ସମ୍ବୋଧିତ କରିବା ପରେ ପୂର୍ବାହ୍ନ ସାଢ଼େ ୧୧ଟାରେ ଶେରଗଡ଼ରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ।

ହିଞ୍ଜିଳି ବିଧାନସଭା ଆସନ ପାଇଁ ଆସନ୍ତା ଏପ୍ରିଲ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନାମାଙ୍କନପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। ଏହା ସହ ଏପ୍ରିଲ ୩୦ରୁ ମୁଖ୍ୟମନ୍ତ୍ରୀଙ୍କର ରହିଛି ମାରାଥନ ପ୍ରଚାର କାର୍ଯ୍ୟକ୍ରମ। ସେହିଦିନ ଚିକିଟିରେ ଏକ ଜନସମାବେଶକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ।

ସେହିଭଳି ଆସନ୍ତା ମେ’ ୧ ତାରିଖରେ ମୁଖ୍ୟମନ୍ତ୍ରୀ ଖଲ୍ଲିକୋଟ, କବିସୂର୍ଯ୍ୟନଗର, ଦିଗପହଣ୍ଡି ଓ ଛତ୍ରପୁରରେ ପ୍ରଚାର କରିବେ। ମେ’ ୩ ତାରିଖରେ ଭଞ୍ଜନଗର, ପୋଲସରା, ସାନଖେମୁଣ୍ଡି ଓ ସୋରଡ଼ାରେ ଏକ ସମାବେଶରେ ଯୋଗଦେବେ। ମେ’ ୬ ତାରିଖରେ ଗୋପାଳପୁର ଓ ଆସ୍କାରେ ଦୁଇଟି ସାଧାରଣ ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ।