ରାଜନୀତିରୁ ଅବସର ନେଲେ ରାସେଶ୍ୱରୀ

ଗଣମାଧ୍ୟମରେ ବିଜେଡି ପ୍ରାର୍ଥୀଙ୍କୁ ଅଯୋଗ୍ୟ କହି କ୍ଷୋଭ ପ୍ରକାଶ କଲେ।

ଅଯୋଗ୍ୟଙ୍କୁ ପ୍ରାର୍ଥୀ କରୁଛି ବିଜେଡି: ରାସେଶ୍ୱରୀ

ଭୁବନେଶ୍ବର, ୨୩/୦୪/୨୦୨୪: ଆଜି ବିଜେଡି ଛାଡିଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ଦଳ ଛାଡିବାର କିଛି ସମୟ ପରେ ଗଣମାଧ୍ୟମରେ ଦଳ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ରାସେଶ୍ୱରୀ। ଦଳ ଜଣେ ଅଯୋଗ୍ୟ ବ୍ୟକ୍ତିଙ୍କୁ ସମ୍ବଲପୁର ବିଧାନସଭା ପାଇଁ ପ୍ରାର୍ଥୀ ଭାବେ ବାଛିଛି। ତେଣୁ ସମ୍ବଲପୁରର ମର୍ଯ୍ୟାଦା ଓ ଗୌରବ ପାଇଁ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛି।

କାର୍ଯ୍ୟଦକ୍ଷତା ନଥିବାରୁ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ଜଣେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଟିକେଟ୍ ଦେଇ ଦଳ ସମ୍ବଲପୁରକୁ ଅପମାନିତ କରିଛି। ସମ୍ବଲପୁର ହେଉଛି ପଶ୍ଚିମ ଓଡ଼ିଶାର କେନ୍ଦ୍ରସ୍ଥଳ। ଏହା ଓଡ଼ିଶାର ଦ୍ବିତୀୟ ରାଜଧାନୀ ଭଳି। ଏହି ଆସନରୁ ଦଳ ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛି, ଯାହାକୁ ଦଳ ପୂର୍ବରୁ ‘ଅଯୋଗ୍ୟ’ ବୋଲି କହିଥିଲା।

ସେହିଭଳି ନିଜ ରାଜନୈତିକ ଯାତ୍ରା ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ଜନସାଧାରଣଙ୍କ ସହାୟତା ଓ ସହଯୋଗରେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଥିବା ବେଳେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଯଦିଓ ପରବର୍ତ୍ତୀ ସମୟରେ ମୁଁ ବିଧାୟକ ନଥିଲି, ତଥାପି ଦଳର ସମସ୍ତ ପ୍ରକାର ବିକାଶ ମୂଳକ କାର୍ଯ୍ୟ ଓ ସାଂଗଠନିକ କାର୍ଯ୍ୟରେ ମୁଁ ଜଡ଼ିତ ଥିଲି। କିନ୍ତୁ ଏବେଠାରୁ ରାଜନୀତିରୁ ଅବସର ନେବା ପାଇଁ ଘୋଷଣା କରୁଛି। ମୁଁ କୌଣସି ରାଜନୈତିକ କାର୍ଯ୍ୟକଳାପରେ ଭାଗ ନେବି ନାହିଁ କି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବି ନାହିଁ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, ରାସେଶ୍ୱରୀ ପାଣିଗ୍ରାହୀ ୨୦୧୪ରେ ସମ୍ବଲପୁରର ବିଧାୟିକା ଥିଲେ। ୨୦୧୯ ନିର୍ବାଚନରେ ବିଜେଡି ଟିକେଟରୁ ସମ୍ବଲପୁର ବିଧାନସଭା ପାଇଁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ନିର୍ବାଚନରେ ହାରି ଯାଇଥିଲେ। ତେଣୁ ୨୦୨୪ ନିର୍ବାଚନ ପାଇଁ ଟିକେଟ ଆଶାୟୀ ଥିଲେ। ହେଲେ, ଚଳିତ ଥର ମଧ୍ୟ ଟିକେଟ ନ ମିଳିବାରୁ ସେ ଦଳ ଛାଡିଛନ୍ତି।