ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର

ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ସହ ତାଙ୍କ ବାସଭବନରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଛନ୍ତି।

ସୌଜନ୍ୟମୂଳକ ସାକ୍ଷାତ ସହ ଆଶୀର୍ବାଦ ନେଲେ

ଭୁବନେଶ୍ବର, ୨୮/୦୪/୨୦୨୪: ଆଜି ସମ୍ବଲପୁରର ପୂର୍ବତନ ବିଜେଡି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ସମ୍ବଲପୁର ସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ଧର୍ମେନ୍ଦ୍ର ତାଙ୍କ ସୋସିଆଲ ମିଡିଆ ସାଇଟରେ ଲେଖିଛନ୍ତି, “ମୁଁ ସମ୍ବଲପୁରର ପୂର୍ବତନ ବିଧାୟିକା, ସମାଜସେବୀ ତଥା ପ୍ରତିଷ୍ଠିତ ଚିକିତ୍ସକ ରାସେଶ୍ୱରୀ ପାଣିଗ୍ରାହୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ତାଙ୍କ ଆଶୀର୍ବାଦ କାମନା କରିଛି।”

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ପୂର୍ବରୁ ରାସେଶ୍ୱରୀ ବିଜେଡିରୁ ଇସ୍ତଫା ଦେଇଥିଲେ। ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀଙ୍କ ଟିକେଟ ନଦେଇଥିବାରୁ ସେ ବିଜେଡି ଛାଡିଥିବା କହିଥିଲେ। ଏହାସହ ସେ ରାଜନୀତି ମଧ୍ୟ ଛାଡିଥିବା ଦର୍ଶାଇ କହିଥିଲେ ଯେ ଆଗକୁ ସମାଜସେବା କରିବେ କିନ୍ତୁ କୌଣସି ରାଜନୈତିକ ଦଳରେ ସାମିଲ ହେବେ ନାହିଁ। ତେବେ ଏହି ନିର୍ବାଚନ ସମୟରେ ଧର୍ମେନ୍ଦ୍ରଙ୍କ ରାସେଶ୍ୱରୀଙ୍କୁ ଭେଟିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।