ଟ୍ୱିନ ସିଟିକୁ ରେଡ୍ ଆଲର୍ଟ

ଆସନ୍ତା ୨୪ ଘଣ୍ଟା ଯାଏ ଟ୍ୱିନ ସିଟି ଭୁବନେଶ୍ୱର ଓ କଟକ ସମେତ ୧୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି।

ଭୁବନେଶ୍ବର ୪୧.୬ ଡିଗ୍ରୀ

ଭୁବନେଶ୍ବର, ୨୮/୦୪/୨୦୨୪: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ପ୍ରବଳ ତାତିରେ ଆଉଟପାଉଟୁ ହେଉଛନ୍ତି ରାଜ୍ୟବାସୀ। ପ୍ରଚଣ୍ଡ ତାତି ଯୋଗୁଁ ବାହାରକୁ ବାହାରିବା ଅସମ୍ଭବ ହେଉଥିବା ବେଳେ ପ୍ରବଳ ଗୁଳୁଗୁଳି ଯୋଗୁଁ ଘରେ ମଧ୍ୟ ରହି ହେଉନାହିଁ। ଏହିପରି ଭାବେ ଆଗାମୀ ୪ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ହିଟ୍ ୱେଭ ପାଇଁ ସତର୍କ ସୂଚନା ଜାରି କରିଛି ଆଇଏମଡି। ଆସନ୍ତା ୨୪ ଘଣ୍ଟା ଯାଏ ଟ୍ୱିନ ସିଟି ଭୁବନେଶ୍ୱର ଓ କଟକ ସମେତ ୧୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି।

ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ନୂଆପଡ଼ା, ଅନୁଗୁଳ, ଯାଜପୁର ଆଦି ଜିଲ୍ଲାଗୁଡିକ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୭ଟି ଜିଲ୍ଲା ଯଥାକ୍ରମେ ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ସୋନପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ବରଗଡ଼, ରାୟଗଡ଼ା, କୋରାପୁଟ, ପୁରୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଇଏମଡିର ସୂଚନା ଅନୁଯାୟୀ, ମେ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗରମ ଓ ଆର୍ଦ୍ରତାରୁ ମୁକ୍ତି ମିଳିବ ନାହିଁ। ଆଜି ସାଢେ ୧୧ଟା ସୁଦ୍ଧା ଭୁବନେଶ୍ବରରେ ସର୍ବାଧିକ ୪୧.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କଟକ ୪୦.୯ ଡିଗ୍ରୀ, ବାଲେଶ୍ୱର ୪୦.୬ ଡିଗ୍ରୀ, ଝାରସୁଗୁଡ଼ା ୩୯.୪ ଡିଗ୍ରୀ, ପୁରୀ ୩୪ ଡିଗ୍ରୀ, ଗୋପାଳପୁର ୩୩.୪ ଡିଗ୍ରୀ ଓ ପାରାଦ୍ବୀପରେ ୩୨.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି। ଆଜି କେତେକ ଜିଲ୍ଲାରେ ପାରଦ ୪୫ ଡିଗ୍ରୀ ଛୁଇଁପାରେ ବୋଲି ସୂଚନା ମିଳିଛି।