ବିଜେପିର ସାମାଜିକ ନ୍ୟାୟ ଆନ୍ଦୋଳନ ବ୍ୟାପକ ହେବ: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ। ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ରେଙ୍ଗାଳି ବିଧାୟକ ନାଉରୀ ନାଏକ ପ୍ରମୁଖ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ।

ଓଡ଼ିଶା ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି

ସମ୍ବଲପୁର, ଏପ୍ରିଲ ୨୮- ସମ୍ବଲପୁରରେ ରବିବାର ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେଡିର ସମ୍ବଲପୁର ଜିଲ୍ଲା ଏସଟି-ଏସସି ସେଲ୍ ସଭାପତି ମୋତିଲାଲ ତନ୍ତୀ ଓ ତାଙ୍କ ଧର୍ମପତ୍ନୀ ତଥା ବିଜେଡି ନେତ୍ରୀ ରୀନା ତନ୍ତୀ ଦଳରେ ଯୋଗଦେଇଛନ୍ତି ।

ଏହି ଅବସରରେ କିଛି ଦିନ ପୂର୍ବରୁ ସୋନପୁର ବିଜୟ ସଂକଳ୍ପ ସଭାରେ ବିଜେପି ଯୋଗଦେଇଥିବା ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ଉପସ୍ଥିତ ଥିଲେ । ଶ୍ରୀ ପ୍ରଧାନ ତାଙ୍କୁ ଦଳରେ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ଓଡ଼ିଶା ରାଜନୀତିରେ ଆଜି ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । କଂଗ୍ରେସ କିଛି ଦିନ ପୂର୍ବେ ପ୍ରବୋଧ ତିର୍କୀଙ୍କୁ ତଳସରାରୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ଓ ପରେ ସେ ଜାଗାରେ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କଲା । ତେବେ ଆନ୍ତର୍ଜାତିକ ସ୍ତରରେ ହକିକୁ ପ୍ରତିନିଧିତ୍ୱ କରୁଥିବା ତଥା ଓଡ଼ିଶାକୁ ଗୌରବ ଆଣିଥିବା ତୀର୍କି ନିଜର ସମ୍ମାନ ଓ ସ୍ୱାଭିମାନ ପାଇଁ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ପ୍ରତି ପ୍ରବୋଧ ତିର୍କୀ ଦେଖାଇଥିବା ଆସ୍ଥା ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ସବ୍‌କା ସାଥ ସବକା ବିକାଶ’ ରାଜନୀତିର ବଡ଼ ପ୍ରତିଫଳନ । ସମ୍ବଲପୁର, ସୁନ୍ଦରଗଡ଼, ଆଠମଲ୍ଲିକ, ବରଗଡ଼, ଦେବଗଡ଼, ରେଢାଖୋଲ, ନାକଟିଦେଉଳ, ରେଙ୍ଗାଳି ଆଦି ଅଞ୍ଚଳରେ ଯୁବକମାନଙ୍କ ମଧ୍ୟରେ ଥିବା ପ୍ରବୋଧଙ୍କ ଆକର୍ଷଣ ଦଳକୁ ଲାଭ ଦେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

ସେହିପରି ଦଳରେ ସାମିଲ ହୋଇଥିବା ତନ୍ତୀ ଦମ୍ପତିଙ୍କୁ ସ୍ୱାଗତ କରି ଶ୍ରୀ ପ୍ରଧାନ କହିଛନ୍ତି, ମୋତିଲାଲ ତନ୍ତୀ ଜଣେ ସାମାଜିକ ନ୍ୟାୟ ଆନ୍ଦୋଳନର ଲଢୁଆ ସାଥୀ । ସେ ଛାତ୍ର ଅବସ୍ଥାରୁ ଦଳିତ, ଆସିବାସୀ, ଗରିବ, ଦୁଃଖୀ ବର୍ଗର ଲୋକଙ୍କ ପାଇଁ ସଂଘର୍ଷ କରି ଆସିଛନ୍ତି । ତାଙ୍କ ଧର୍ମପତ୍ନୀ ରୀନା ତନ୍ତୀ ଗତ ବିଧାନସଭାରେ ରେଙ୍ଗାଲି ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିଲେ । ଉଭୟେ ଏବେ ବିଜେଡି ଛାଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ସ୍ୱୀକାର କରି ବିଜେପିରେ ସାମିଲ ହୋଇଛନ୍ତି । ଆମ ଦଳ ଏହି ରାଜନୀତି ବ୍ୟକ୍ତିବିଶେଷଙ୍କ ଅନୁଭବକୁ ଉପଯୋଗ କରି ଜନଜାତି ସଂଗଠନକୁ ଅଧିକ ସୁଦୃଢ କରିବ । ସାମାଜିକ ନ୍ୟାୟ ଆନ୍ଦୋଳନକୁ ମଧ୍ୟ ବ୍ୟାପକ କରାଯିବ । ମୋଦୀ ଗ୍ୟାରେଣ୍ଟିରେ ରେଙ୍ଗାଳି ନିର୍ବାଚନମଣ୍ଡଳୀ ସମେତ ସମ୍ବଲପୁରରେ ଗରିବ ଲୋକଙ୍କ ଅପେକ୍ଷା ଓ ଆକାଂକ୍ଷାକୁ ପୂରଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ମିଶ୍ରଣ ପର୍ବରେ ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ରେଙ୍ଗାଳି ବିଧାୟକ ନାଉରୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।