ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଚାର୍ଜ ସିଟ ଜାରି କଲା ବିଜେପି

"ବିଜେଡି ସରକାରର ବିଫଳତାକୁ ନେଇ ବିଜେପି ଦଳ କେତେ ଦିନ ସହିବ, ପରିବର୍ତ୍ତନ ଆଣିବା" ଶୀର୍ଷକ ଚାର୍ଜସିଟ୍ ଜାରି କରିଛି ବିଜେପି।

ସାଂସଦ ପ୍ରାର୍ଥୀ ବଳଭଦ୍ରଙ୍କ ସାମ୍ବାଦିକ ସମ୍ମିଳନୀ

ନବରଙ୍ଗପୁର, ୨୮/୦୪/୨୦୨୪: “ବିଜେଡି ସରକାରର ବିଫଳତାକୁ ନେଇ ବିଜେପି ଦଳ କେତେ ଦିନ ସହିବ, ପରିବର୍ତ୍ତନ ଆଣିବା” ଶୀର୍ଷକ ୬୦ ପୃଷ୍ଠା ସମ୍ବଳିତ ଏକ ଚାର୍ଜସିଟ୍‌କୁ ଜାରି କରିଛି ଜିଲ୍ଲା ବିଜେପି । ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ତ‌ଥା ବର୍ତ୍ତମାନ ଲୋକସଭା ପ୍ରାର୍ଥୀ ବଳଭଦ୍ର ମାଝୀ ବିଜେଡି ସରକାରର ଦୀର୍ଘ ୨୪ ବର୍ଷ ମଧ୍ୟରେ ଜିଲ୍ଲାରେ ବିକାଶ କରିବା ବଦଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଦାଦନ ସମସ୍ୟା, ବେକାରୀ ପ୍ରମୁଖ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ବଳଭଦ୍ର ମାଝୀଙ୍କ କହିବା ଅନୁଯାୟୀ, ବିଜେଡି ସରକାର ଘୋଷଣା କରିଥିଲେ ଯେ, ପ୍ରତି ବ୍ଲକରେ ଅତିକମ୍‌ରେ ଶତକଡା ୩୫ ଭାଗ ଜଳସେଚନ ଯୋଗାଇବେ କିନ୍ତୁ ବର୍ତ୍ତମାନ ଚୁପ ରହିଛନ୍ତି । ଚାଷୀଙ୍କ ଅବସ୍ଥା ଶୋଚନୀୟ ରହିଛି । ଚାଷୀଙ୍କୁ ଧାନ ବିକ୍ରୟ ବେଳେ ସହାୟକ ମୂଲ୍ୟ ସହ ବୋନସ୍ ୧୦୦ ଟଙ୍କା ଲେଖାଏଁ ଦିଆଯିବ କୁହାଯାଇଥିଲେ ମଧ୍ୟ ୧୦୦ ପଇସା ମଧ୍ୟ ଦିଆଯାଇ ନାହିଁ । ଜିଲ୍ଲାରେ ଜଳ ସେଚନ ପାଇଁ ଅପାର ସମ୍ଭାବନା ରହିଥିଲେ ମଧ୍ୟ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଜଳ ଯୋଗାଇ ଦେବା ବଦଳରେ କେବଳ ଭୂମି ପୂଜାରେ ସୀମିତ ରଖିଛନ୍ତି । ଟୁରୀ ଘୁଟ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ହୋଇନାହିଁ । ଭାସ୍କେଲ ଡ୍ୟାମ କେବଳ ସର୍ଭେରେ ରହିଗଲା । ଏହିପରି ଇନ୍ଦ୍ରାବତୀ ଜଳ ପ୍ରକଳ୍ପ ଆଦି କରାଯାଇ ନାହିଁ । ଜିଲ୍ଲାବାସୀଙ୍କୁ ଜଳସେଚନ ବ୍ୟବସ୍ଥା କରିବା ବଦଳରେ ଅଯଥା ଛତିଶଗଡ ସହ କଳହ କରି ଟ୍ରିବୁନାଲ ମାମଲା କରି ଚାଷୀ ମାରଣା ନିତୀ ଅବଲମ୍ବନ କରୁଛନ୍ତି । ଚାଷୀଙ୍କ ଆୟ ସର୍ବଭାରତୀୟ ସ୍ତରରେ ସର୍ବନିମ୍ନ ରହିଛି । ମା’ ଭଉଣୀ ମାନଙ୍କ ଅବସ୍ଥା ଶୋଚନୀୟ ରହିଛି । ମାଆ ଭଉଣୀ ମାନଙ୍କୁ ଅତ୍ୟାଚାରରେ ଓଡିଶା ଏକ ନମ୍ବରରେ ରହିଛି । ଏନସିବି ରିପୋର୍ଟ ଅନୁସାରେ ମହିଳାଙ୍କ ହତ୍ୟା କ୍ଷେତ୍ରରେ ୪ର୍ଥ ସ୍ଥାନ ଓ ଗୃହିଣୀ ମାନଙ୍କ ଆତ୍ମହତ୍ୟା କ୍ଷେତ୍ରରେ ବିଗତ ୨୦ ବର୍ଷରେ ୧୩ ପ୍ରତିଶତ ବୃଦ୍ଧି ଘଟିଛି । ପ୍ରତିଦିନ ୧୧ ଜଣ ବାଳିକାମାନେ ଉଭାନ ହେଉଛନ୍ତି । ମା ଭଉଣୀ ଅତ୍ୟାଚାରରେ ବିଜେଡିର ନେତା ଓ ମନ୍ତ୍ରୀମାନେ ସାମିଲ ରହିଛନ୍ତି । ଯୁବକମାନଙ୍କ ପାଇଁ ଜିଲ୍ଲାରେ ରୋଜଗାରର ଅବକାଶ ନାହିଁ । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ନିୟମ ଅନୁଯାୟୀ ଏଠାକାର ଶିକ୍ଷିତ ଯୁବକ ଯୁବତୀଙ୍କୁ ନେଇ ତୃତୀୟ ଓ ଚତୁର୍ଥ ଶ୍ରେଣୀ ଚାକିରୀ କରି ପାରିବେ l ତେବେ ଏହାର ଖିଲାପ ହେବାରୁ ଏଠାକାର ଯୁବକ ଯୁବତୀମାନେ ବାଧ୍ଯ ହୋଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି l ଜିଲ୍ଲାରେ ଡିଗ୍ରୀ କଲେଜ ବ୍ୟତୀତ ଗୋଟିଏ ମଧ୍ୟ ନୂତନ ସରକାରୀ କଲେଜ ସ୍ଥାପନ କିମ୍ବା ପୁରାତନ କଲେଜକୁ ସରକାରୀ କଲେଜ ଘୋଷଣା ହୋଇପାରି ନାହିଁ l ପିଲା ମାନେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି l ପଞ୍ଚାୟତ ଠାରୁ ଉଚ୍ଚ ସ୍ତର ପର୍ଯ୍ୟନ୍ତ ଭ୍ରଷ୍ଟାଚାର ଚାଲିଛି l ଜିଲ୍ଲାରେ ଚିଟଫଣ୍ଡଙ୍କ ଜମାକାରୀମାନଙ୍କୁ ଟଙ୍କା ଫେରସ୍ତ କରାଯାଇ ନାହିଁ l ପିଏମ କିଷାନ ଯୋଜନାରେ ଜିଲ୍ଲାରେ ୧୬ ଲକ୍ଷ ଜଣ ଚାଷୀ ବଞ୍ଚିତ ହୋଇଛନ୍ତି l ଓଡିଶାରେ ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ ଓଡ଼ିଶାରେ ୟୁନିଟ ପିଚ୍ଛା ୨.୮୩ ରହିଥିବା ବେଳେ ତାମିଲନାଡୁରେ ୟୁନିଟ ପିଛା ୨.୫୩ ଦର ରହିଛି l ସରପଞ୍ଚଙ୍କ ଅଜାଣତରେ ଗ୍ରାମ ପଞ୍ଚାୟତ ପାଇଁ ଆସୁଥିବା ଟଙ୍କା ବ୍ଲକ ଓ ଜିଲ୍ଲାକୁ ନିଆଯାଉଅଛି l ପଲ୍ଲୀ ସଭା ଓ ଗ୍ରାମ ସଭା ହେଉନାହିଁ l ଓଡିଶାକୁ ଜଣେ ସେବା ନିବୃତ ସରକାରୀ କର୍ମଚାରୀ ଚଳାଉଛନ୍ତି l ୫-ଟି ଅଧକ୍ଷ ପଦରେ ରହି ସେ ଦଳୀୟ ପ୍ରଚାର କରୁଛନ୍ତି l ଆୟୁଷ୍ମାନ ଯୋଜନା ଲାଗୁ ନ କରି ବିଜୁ ସ୍ୱାସ୍ଥ୍ୟ କାର୍ଡ ଅପବ୍ୟବହାର କରି ଛିଙ୍କ ଓ କାଶ ହେଉଥିବା ବ୍ୟକ୍ତିଙ୍କୁ ମଧ୍ୟ ବିଶାଖାପାଟନମ ଓ ରାୟପୁର ପଠାଇ କାର୍ଡ ପିଛା ୩ ରୁ ୪ ଲକ୍ଷ ଟଙ୍କା ହଡପ କରୁଛନ୍ତି ବୋଲି ବିଜେପି ସାଂସଦ ପ୍ରାର୍ଥୀ ଶ୍ରୀ ବଳଭଦ୍ର ମାଝୀ ଅଭିଯୋଗ କରିଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ବିଧାନସଭା ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ, ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀ, ଲୋକସଭା ପ୍ରଭାରୀ ମାନିଜେର ଆର୍ଯ୍ୟ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେରକେଟେ, ଲୋକସଭା ସଂଯୋଜକ ରାମେଶ୍ୱର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ l