କଟିଲା ଦେବଗଡ଼ ରାଣୀଙ୍କ ପ୍ରାର୍ଥୀତ୍ୱ

ଆଜି ସବୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।

ବବି ଦାସଙ୍କ ମା’ଙ୍କୁ ବିଜେଡିର ଗ୍ରୀନ ସିଗନାଲ

ଭୁବନେଶ୍ବର, ୦୨/୦୫/୨୦୨୪: ଆଜି ବିଜେଡିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପୂର୍ବରୁ ୧୪୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇ ସାରିଥିବା ବେଳେ ଆଜି ବାକି ୩ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।

ପୂର୍ବରୁ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀଙ୍କୁ ଟିକେଟ ମିଳିଥିବା ବେଳେ ଆଜି ତାଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ରୋମାଞ୍ଚ ୨୦୧୯ରେ ଏହି ଆସନରୁ ବିଜେଡି ଟିକେଟରେ ଲଢ଼ିଥିଲେ। କିନ୍ତୁ ବିଜେପି ପ୍ରାର୍ଥୀ ତଥା ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କଠାରୁ ୫ ହଜାରରୁ ଅଧିକ ଭୋଟ୍‌ରେ ପରାଜୟ ହୋଇଥିଲେ। ହେଲେ, ସେ ପୁଣି ଥରେ ଏହି ଆସନରୁ ଲଢିବା ପାଇଁ ଆଶାୟୀ ଥିଲେ। ଅରୁନ୍ଧତୀ ଦେବୀଙ୍କୁ ଏହି ଆସନରୁ ଲଢିବା ପାଇଁ ଟିକେଟ ମିଳିବା ପରେ ରୋମାଞ୍ଚଙ୍କ ସମର୍ଥକଙ୍କ ମଧ୍ୟରେ ବେଶ ଅସନ୍ତୋଷ ବୃଦ୍ଧି ପାଇଥିଲା। ଗତ ୫ ବର୍ଷ ଧରି ଦେବଗଡରେ ସାଂଗଠନିକ ଦକ୍ଷତା ବୃଦ୍ଧି କରିଥିଲେ ରୋମାଞ୍ଚ। ଯଦି ଏହି ଆସନରୁ ବିଜେଡି ତାଙ୍କୁ ପ୍ରାର୍ଥୀ ନକରେ ତାହାଲେ ସେ ସ୍ୱାଧୀନ ଭାବେ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା। ଅନ୍ୟପକ୍ଷରେ ଦେବଗଡର ରାଣୀ ଅରୁନ୍ଧତୀଙ୍କୁ ଟିକେଟ କଟିବାର କାରଣ ଏପର୍ଯ୍ୟନ୍ତ ସାମନାକୁ ଆସିନାହିଁ।

ସେହିପରି କୋରେଇରୁ ପ୍ରାର୍ଥୀ ହୋଇଥିବା ସନ୍ଧ୍ୟାରାଣୀ ଦାସ ହେଉଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁରରୁ ଦଳୀୟ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ମା’। ଏଥର ସନ୍ଧ୍ୟାରାଣୀଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରି ଟିକେଟ ଦେଇଛି। କୋରେଇ ଆସନ ପାଇଁ କାହାକୁ ଟିକେଟ ମିଳିବ କଳ୍ପନାଜଳ୍ପନା ଚାଲିଥିବା ବେଳେ ସନ୍ଧ୍ୟାରାଣୀଙ୍କୁ ଟିକେଟ ଦେଇ ଗ୍ରୀନ୍ ସିଗନାଲ ଦେଇଛି ଦଳ।

ସେହିପରି ଖଣ୍ଡପଡାରୁ ଆଶାୟୀ ପ୍ରାର୍ଥୀ ଥିଲେ ଅନୁଭବ ପଟ୍ଟନାୟକ। କିନ୍ତୁ ଦଳ ତାଙ୍କୁ ନିରାଶ କରିଛି। ଖଣ୍ଡପଡା ଆସନ ପାଇଁ ଅନୁଭବଙ୍କୁ ଟିକେଟ ନ ମିଳି ସାବିତ୍ରୀ ପ୍ରଧାନଙ୍କୁ ଟିକେଟ ମିଳିଛି। ଏ ନେଇ ଅନୁଭବ ସ୍ୱାଧୀନ ଭାବେ ଲଢିବେ ନା ନିର୍ବାଚନ ଲଢିବେ ନାହିଁ ତାହା ଦେଖିବା ବାକି ରହିଲା।

ଅନ୍ୟପଟେ ନିମାପଡା ପ୍ରାର୍ଥି ତାଲିକା ବଦଳାଇବା ପାଇଁ ଜୋରଦାର ଚାପ ପକାଉଥିବା ସମୀର ରଞ୍ଜନ ଦାସଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି। ପ୍ରଥମେ ନିମାପଡ଼ା ଆସନ ପାଇଁ ସମୀରଙ୍କ ନାମ ଘୋଷଣା କରାଯାଇଥିବା ବେଳେ ପୁନଃ ତାଙ୍କ ନାମକୁ ପରିବର୍ତ୍ତନ କରି ଦିଲ୍ଲୀପ ନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ହେଲେ, ସମୀର କିନ୍ତୁ ବଳ କଷିବା ଛାଡି ନଥିଲେ। ସେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଶକ୍ତି ପ୍ରଦର୍ଶନ କରିଥିଲେ। ହେଲେ, ପୁଣି ଥରେ ତାଙ୍କୁ ନିରାଶ ହେବାକୁ ପଡିଛି। ଦଳ ପକ୍ଷରୁ ତାଙ୍କୁ ଟିକେଟ ଦିଆ ଯାଇନାହିଁ।