ବ୍ରହ୍ମପୁରରେ ମୋଦି: ବିଜେଡି ଅସ୍ତ, କଂଗ୍ରେସ ପସ୍ତ, ବିଜେପି ଆଶ୍ୱସ୍ତ’

ବିଜେଡି ସରକାରକୁ ସିଧା ନିଶାନା ଲଗାଇଲେ ମୋଦି।

‘୧୦ ଜୁନରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ’

ଭୁବନେଶ୍ବର,୦୬/୦୫/୨୦୨୪ : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ରାତିରେ ଭୁବନେଶ୍ୱରରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଗକୁ ଲୋକସଭା ଓ ବିଧାନସଭା ନିର୍ବାଚନ ଥିବା ବେଳେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପାଇଁ ଓଡ଼ିଶା ଆସିଛନ୍ତି। ସୋମବାର ସେ ଦକ୍ଷିଣ ଓଡ଼ିଶାର ଦୁଇଟି ବିଶାଳ ସମାବେଶରେ ଗଞ୍ଜାମ ଓ ନବରଙ୍ଗପୁରକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିଲା।

ସୋମବାର ପ୍ରଧାନମନ୍ତ୍ରୀ ଭୁବନେଶ୍ୱରସ୍ଥିତ ରାଜଭବନରୁ ବାହାରି ସକାଳ ପ୍ରାୟ ୧୦ଟା ୩୦ ସୁଦ୍ଧା ହେଲିକପ୍ଟର ଯୋଗେ ପ୍ରଥମେ ବ୍ରହ୍ମପୁରର କନିଷିରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆୟୋଜିତ ଜନ ସମାବେଶରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଅଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ପ୍ରଭୁ ଜଗନ୍ନାଥଙ୍କ ଭୂମିକୁ ଆପଣମାନଙ୍କ ଆଶୀର୍ବାଦ ନେବା ପାଇଁ ଆସିଛି। ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପପତ୍ର ଘୋଷଣା ହୋଇଛି। ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ହେବାକୁ ଯାଉଛି। ୬ ଜୁନରେ ବିଜେପି ପକ୍ଷରୁ ନୂତନ ମୁଖ୍ୟମନ୍ତ୍ରୀ ଘୋଷିତ ହେବେ ଏବଂ ୧୦ ଜୁନରେ ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତେଣୁ ମୁଁ ଆଜି ଶପଥ ସମାରୋହ ଉତ୍ସବରେ ଯୋଗ ଦେବାକୁ ଆପଣ ମାନଙ୍କୁ ନିମନ୍ତ୍ରଣ ଦେବାକୁ ଆସିଛି। ଓଡ଼ିଶାରେ ବିଜେଡି ଅସ୍ତ କଂଗ୍ରେସ ପସ୍ତ ଓ ବିଜେପି ଉପରେ ଲୋକଙ୍କ ଆଶ୍ୱସ୍ତ ହେବାକୁ ଯାଉଛି। ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରପୂର ରହିଛି। ଏତେ ଧନୀ ରାଜ୍ୟର ଅବସ୍ଥା କିନ୍ତୁ ଗରୀବ ହୋଇ ରହିଛି। ଏଭଳି ଅବସ୍ଥା ପାଇଁ କଂଗ୍ରେସ ଓ ବିଜେଡ଼ି ଦାୟୀ। ରାଜ୍ୟରେ ଅନେକ ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି, ଡାକ୍ତରଙ୍କ ଅଭାବ ଦେଖାଯାଉଛି, ପିଲାମାନେ ଅଧାରୁ ପାଠ ଛାଡି ଦେଉଛନ୍ତି, ପାଣିର ପର୍ଯ୍ୟାପ୍ତ ସୁବିଧା ନାହିଁ। ପୂର୍ବରୁ କେନ୍ଦ୍ରର କଂଗ୍ରେସ ସରକାର ୧୦ ବର୍ଷରେ ଓଡ଼ିଶାକୁ ୧ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ ବିଜେପି ସରକାର ୧୦ ବର୍ଷରେ ସାଢେ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଦେଇଛି। କିନ୍ତୁ ବିଜେଡ଼ି ସରକାର ସେହି ଟଙ୍କାକୁ ଠିକ୍ ଭାବରେ ଉପଯୋଗ କରି ପାରୁନାହିଁ ବୋଲି ମୋଦି ସରକାରଙ୍କ ଉପରେ ସିଧା ନିଶାନା ଲଗାଇଛନ୍ତି। ରାଜ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ ଯୋଜନା ରାଜ୍ୟରେ କୌଣସିମତେ ଲାଗୁ କରାଯାଉନାହିଁ ବୋଲି ମୋଦି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନିର୍ବାଚନୀ ରାଲି। ବ୍ରହ୍ମପୁରରୁ ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ପ୍ରଧାନମନ୍ତ୍ରୀ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଚିକିଲିଠାରେ ଆଉ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ସେହିପରି ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ନିର୍ବାଚନ ପ୍ରଚାର ପାଇଁ ରାଜ୍ୟ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଭୁବନେଶ୍ୱରରେ ଏକ ରୋଡ୍ ସୋ’ରେ ଯୋଗ ଦେଇପାରନ୍ତି।