ଚୋର ପ୍ରାର୍ଥୀଙ୍କୁ ଆଶୀର୍ବାଦ ନଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

କନିଷିରେ ମୁଖ୍ୟମନ୍ତ୍ରୀଙ୍କ ଜୋରସୋର ପ୍ରଚାର।

ଆଜି ବିଜେଡି ଆଣିବ ଇସ୍ତାହାର

ଭୁବନେଶ୍ବର, ୦୯/୦୫/୨୦୨୪: ନିର୍ବାଚନ ପାଖେଇ ଆସୁଥିବା ବେଳେ ଜୋରସୋରରେ ପ୍ରଚାରରେ ଲାଗି ପଡିଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। ଆଜି ଗଞ୍ଜାମ ଜିଲ୍ଲା କନିଷିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ମାରାଥନ ପ୍ରଚାର। ଉଦବୋଧନୀ ସଭାରେ ଶହଶହ ସମର୍ଥକଙ୍କୁ ଖରାରେ ଆସିଥିବାରୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। କନିଷିରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅପିଲ କରିଛନ୍ତି। ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଆଶୀର୍ବାଦ ଦେଇ ବିରୋଧୀ ଦଳର ନାଁ ନ ନେଇ ଚୋର ପ୍ରାର୍ଥୀଙ୍କୁ ଆଶୀର୍ବାଦ ନ ଦେବା ପାଇଁ କହିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କୁ କିଛି ପ୍ରଶ୍ନ କରିଥିଲେ। ବିଏସକେଓ୍ବାଇ ଭଲ କି? ମମତା ଯୋଜନା ଭଲ କି? କାଳିଆ ଯୋଜନା ଭଲ କି? ମିଶନ ଶକ୍ତି ଭଲ କି? ଲକ୍ଷ୍ମୀ ବସ୍ ଭଲ କି? 5ଟି ସ୍କୁଲ ଭଲ କି ? ପିଲାଙ୍କ ସ୍କଲାରସିପ ଭଲ କି? ମଧୁବାବୁ ପେନସନ୍ ଯୋଜନା ଭଲ କି, ଚାଉଳ ପାଇଁ କାର୍ଡ ଭଲ କି? ନବୀନ ପଟ୍ଟନାୟକ ଭଲ କି? ଶଙ୍ଖ ଚିହ୍ନ ଭଲ କି ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ।

ଅନ୍ୟପକ୍ଷରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି। ପାଣ୍ଡିଆନ କହିଛନ୍ତି ପୂର୍ବ ବର୍ଷ ଭଳି ଏଥର ମଧ୍ୟ ବିଜେପି ମାନିଫେଷ୍ଟୋ ଆଣିଛନ୍ତି। କିନ୍ତୁ ସେଥିରେ କିଛି ହେବାର ନାହିଁ। ବିଜେପିର ଇସ୍ତାହାରକୁ ଓଡିଶାବାସୀ ପସନ୍ଦ କରନ୍ତି ନାହିଁ। ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମାନିଫେଷ୍ଟୋ ଆଣିବେ। ଆମ ମୁଖ୍ୟମନ୍ତ୍ରୀ କଥା କମ କୁହନ୍ତି ଅଧିକ କାମ କରନ୍ତି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ସିଟ୍ ସଂଖ୍ୟା କମିଯିବା ଡରରେ ବିରୋଧୀ ଦଳ ୨୪ ବର୍ଷ ହେଲା ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ପାରି ନାହାନ୍ତି। ତେଣୁ ମୋର ଅନୁରୋଧ ଆପଣମାନେ ମୁଖ୍ୟମନ୍ତ୍ରୀଙ୍କ ମାନିଫେଷ୍ଟୋକୁ ପ୍ରତି ଘରେ ପହଂଚାଇବେ।