ବିଜୟ ହାସଲ ପାଇଁ କସରତ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆଜି ଭୁବନେଶ୍ୱରରେ ମୋଦିଙ୍କ ରୋଡ ସୋ

ଭୁବନେଶ୍ବର, ୧୦/୦୫/୨୦୨୪: ଆଉ ୩ ଦିନ ପରେ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନରେ ସଂଖ୍ୟାଧିକ ଭୋଟ ହାତେଇବା ପାଇଁ ଜୋରସୋର କସରତ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ। ଓଡ଼ିଶାର ତିନୋଟି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରଚାରରେ କୌଣସି କସର ଛାଡୁ ନାହାନ୍ତି। ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ ସବୁଠି ଚାଲିଛି ପ୍ରତିଶ୍ରୁତି ଭରା ବାର୍ତ୍ତା ଓ ଲୋକଙ୍କ ନିକଟତର ହେବାକୁ ରୋଡ୍ ସୋ। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ, ବିଜେପିର ଶୀର୍ଷ ନେତୃତ୍ୱ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶାରେ ଲଗାତାର ପ୍ରଚାର କରୁଛନ୍ତି।

ଗତ ୬ ତାରିଖରେ ନରେନ୍ଦ୍ର ମୋଦି ଓଡ଼ିଶା ଆସିଥିବା ବେଳେ ଆଜି (୧୦ ତାରିଖ) ପୁଣି ଓଡ଼ିଶା ଆସିବେ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ। ଗସ୍ତର ପ୍ରଥମ ଦିନରେ ରାଜଧାନୀ ଭୁବନେଶ୍ୱରରେ କରିବେ ରୋଡ୍ ସୋ। ସନ୍ଧ୍ୟା ୬ଟାରୁ ମାଷ୍ଟରକ୍ୟାଣ୍ଟିନରୁ ରୋଡ୍ ସୋ ଆରମ୍ଭ ହୋଇ ବାଣୀବିହାର ପର୍ଯ୍ୟନ୍ତ ଚାଲିବ। ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ରାମ ମନ୍ଦିର ଛକ, କେନ୍ଦ୍ରୀୟ ବିଦ୍ୟାଳୟ, ବିଏମସି କାର୍ଯ୍ୟାଳୟ, ମହର୍ଷି କଲେଜ ଛକ, ବାୟା ବାବା ମଠ ଛକ, ରୁପାଲି ଛକ, ରମାଦେବୀ ବିଶ୍ୱବିଦ୍ୟାଳୟ ଦେଇ ଏହି ରୋଡ୍ ସୋ ବାଣୀବିହାର ଛକରେ ଶେଷ ହେବ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଭୁବନେଶ୍ବର ଓ କଟକ ଟ୍ୱିନ ସିଟି କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଅପରାହ୍ନ ୨ଟା ପରଠାରୁ ରୋଡ୍ ସୋ ଶେଷ ହେବା ପର୍ଯ୍ୟନ୍ତ ଜନପଥର ଉଭୟ ପାର୍ଶ୍ବରେ କୌଣସି ଯାନବାହାନ ଚଳାଚଳ କରିବ ନାହିଁ ବୋଲି ଟ୍ୱିନ ସିଟି କମିଶନରେଟ ପୋଲିସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏହା ସହ ଅଧିକ ସୁରକ୍ଷା ପାଇଁ ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ ଏସିପି, ୪୧ ଇନ୍ସପେକ୍ଟର, ୧୮୦ ଜଣ ଅଧିକାରୀଙ୍କ ସହ ମୋଟ ୫୫ ପ୍ଲାଟୁନ ପୁଲିସ ଫୋର୍ସ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ମୁତୟନ ହେବେ। ଏହାବ୍ୟତୀତ, ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ବଲାଙ୍ଗୀରରେ ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରିବେ।