ବିଜେଡ଼ିରେ ଯୋଗଦେଲେ ଯାଜପୁର ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ବଳରାମ ଦାସ

ବିଜେଡିର ମିଶ୍ରଣ ପର୍ବ

ଶତାଧିକ କଂଗ୍ରେସ ନେତା ବିଜେଡିରେ ସାମିଲ

ଭୁବନେଶ୍ୱର, ୧୦/୦୫/୨୦୨୪: ଯାଜପୁର ଜିଲ୍ଲାର କାର୍ଯ୍ୟକାରୀ କଂଗ୍ରେସ ସଭାପତି ବଳରାମ ଦାସଙ୍କ ସହ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ଯୁବ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ଧଳଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ବଳରାମ ଦାସଙ୍କୁ ଡକ୍ଟର ପାତ୍ର ଓ ଶ୍ରୀ ଧଳ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଯାଜପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ଧଳ କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କଂଗ୍ରେସ ନେତା ବଳରାମ ଦାସ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।

ଏହି ମିଶ୍ରଣ ପର୍ବରେ ଭରତ ଚନ୍ଦ୍ର ବେହେରା, ତଥାଗତ ନାୟକ, ଦେବେନ୍ଦ୍ର ସ୍ୱାଇଁ, ରୀନା ସିଂ, ଗଜେନ୍ଦ୍ର କୁମାର ସେଠୀ, ଭରତ ଚନ୍ଦ୍ର ଜେନା, ମାନସ ରଞ୍ଜନ ଜେନା, ହୃଷିକେଶ ମହାନ୍ତି, ସୁଦାମ ଚରଣ ଜେନା, ଉତ୍କଳ ମହାପାତ୍ର, ଅଜୟ କୁମାର ସେଠୀ, ନନ୍ଦିନୀ ଦଳାଇ, କୁଳମଣି ରାଉତ, ହରିହର ସାମଲ, ସୁଜିତ ସାମଲ, ଅରବିନ୍ଦ ସୁତାର, ହୃଷିକେଶ ମହାନ୍ତି, ସୁବ୍ରତ ମହାନ୍ତିଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ ।