୧୦ ଟଙ୍କା ପ୍ରଲୋଭନ ଦେଖାଇ ୧୩ ବର୍ଷର ନାବାଳିକାକୁ ବାରମ୍ବାର ଦୁଷ୍କର୍ମ

ନୂଆଦିଲ୍ଲୀ : ଜଣେ ୧୩ ବର୍ଷର ନାବାଳିକାକୁ ଦୁଇଜଣ ବ୍ୟକ୍ତି ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ୭୬ ବର୍ଷୀୟ ବୃଦ୍ଧ ଅଛନ୍ତି । ମାତ୍ର ୧୦ ଟଙ୍କା ପ୍ରଲୋଭନ ଦେଖାଇ ଦୁଇ ଅଭିଯୁକ୍ତ ଏଭଳି କାଣ୍ଡ ଘଟାଇଛନ୍ତି । ଛତିଶଗଡର ବାଲୋଡାବାଜାର ଜିଲ୍ଲାରେ ଏହି ଘଟଣା ଘଟିଛି । ଏନେଇ ପୋଲିସ ଆଜି (ମଙ୍ଗଳବାର) ଏହି ସୂଚନା ଦେଇଛି ।

ତେବେ ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ଗତ ଶନିବାର ଦିନ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହା ପୂର୍ବରୁ ନାବାଳିକା ସମ୍ପର୍କରେ ଜଣେ ମହିଳା ତାଙ୍କ ବାପା-ମାଙ୍କୁ ଅବଗତ କରିଥିଲେ । ତେବେ ଅଭିଯୁକ୍ତ ମାନେ ହେଲେ ୭୬ ବର୍ଷୀୟ କୁଂଜରାମ ଭର୍ମା ଏବଂ ୪୭ ବର୍ଷୀୟ ରମେଶ ଭର୍ମା ବୋଲି ଜଣାପଡିଛି । ଅଭିଯୁକ୍ତ ମାନଙ୍କୁ ଜୁଲାଇ ୩୧ରେ ପୀଡିତାଙ୍କ ପିତାମାତାଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଥିଲା ବୋଲି ବାଲୋଡାବାଜାର କୋଟୱାଲୀ ପୋଲିସ ଷ୍ଟେସନ ଅଧିକାରୀ (SHO) ଯାଦୁମାନ ସିଦାର କହିଛନ୍ତି ।

ତେବେ ଅଭିଯୋଗ ଅନୁଯାୟୀ, କୁଞ୍ଜରାମ ନାବାଳିକା ରହୁଥିବା ସେହି ସ୍ଥାନରେ ରୁହନ୍ତି ଏବଂ ତାଙ୍କୁ ତାଙ୍କ ଘରକୁ ଡାକି ପ୍ରତିଥର ୧୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇ  ଦୁଷ୍କର୍ମ କରୁଥିଲେ । ସେହିଭଳି ରମେଶ ମଧ୍ୟ ନାବାଳିକାଙ୍କୁ ସମାନ ଢଙ୍ଗରେ ଯୌନ ନିର୍ଯାତନା ଦେବା ଆରମ୍ଭ କରିଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି ।