ଟିଟିଲାଗଡ଼ରେ ପାଣ୍ଡିଆନଙ୍କ ପ୍ରଚାର

ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡିକୁ ଜିତାଇବାକୁ ଅନୁରୋଧ କରିଛନ୍ତି ପାଣ୍ଡିଆନ।

ଅନ୍ୟ କେହି ଜିତିଲେ ୨୫ ବର୍ଷ ତଳକୁ ଫେରିଯିବ ଟିଟିଲାଗଡ଼: ପାଣ୍ଡିଆନ

ଭୁବନେଶ୍ବର, ୧୬/୦୫/୨୦୨୪: ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିଟିଲାଗଡ଼ ବିଧାନସଭା ଆସନ ପାଇଁ ଏଥର ଟୁକୁନି ସାହୁ ପ୍ରାର୍ଥୀ ହୋଇଛନ୍ତି। ଏ ନେଇ ପାଣ୍ଡିଆନ ବିଜେଡିକୁ ବିପୁଳ ଜନସମର୍ଥନ ଦେଇ ଜିତାଇବାକୁ ଅନୁରୋଧ କରିଛନ୍ତି।

ପାଣ୍ଡିଆନ ବିଶାଳ ଜନସଭାକୁ ସମ୍ବୋଧିତ କରିବା ସହ ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଛତିଶଗଡ଼ରୁ ମନ୍ତ୍ରୀମାନେ ଆସି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ବ୍ୟବହାର କରି ପ୍ରଚାର କରୁଛନ୍ତି, ଟଙ୍କା ବାଣ୍ଟୁଛନ୍ତି ଏହା ଠିକ୍‍ ନୁହେଁ। ଏପଟେ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି, ସେପଟେ ଓଡ଼ିଶାର ସବୁଠାରୁ ଜନପ୍ରିୟ ନେତା ତଥା ମହାନାୟକଙ୍କୁ ଗାଳି ଦେଉଛନ୍ତି। ଆପଣମାନେ ଏହାର ଉଚିତ ଜବାବ୍‍ ଦେବେ। ବିଜେପୁର ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ଼ କଲେ, ତେଣୁ ୪୫ ହଜାର ଭୋଟରେ ହାରିଲେ। ପୁରୀ ପରିକ୍ରମା ପ୍ରକଳ୍ପବେଳେ ଅଣ୍ଡାମାଡ଼ କଲେ, ୩୦ରୁ ୩୦ ଜିଲ୍ଲା ପରିଷଦରେ ହାରିଲେ। ଯଦି ଆଉ କିଏ ଏଠାରେ ଜିତିବେ ନିର୍ବାଚନ ମଣ୍ଡଳୀ ୨୫ ବର୍ଷ ତଳକୁ ଫେରିଯିବ।

ସଏଁତଳାକୁ ଏନ୍‍.ଏ.ସି. ମାନ୍ୟତା ଦିଆଯାଇଛି। ୨.୫୦ କୋଟି ଟଙ୍କା ବିନିଯୋଗରେ ତୁଷୁରା ସମଲେଇ ମନ୍ଦିର ବିକାଶ କାର୍ଯ୍ୟ ଜାରି ରହିଛି। ଜଳସେଚନର ବିକାଶ ପାଇଁ ବହୁତ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ କରାଯାଇଛି ଏବଂ ଆଗକୁ ମଧ୍ୟ ହେବ। ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ। ବିଜେପି କହୁଛି ସୋଲାର ପ୍ୟାନେଲ ମାଧ୍ୟମରେ ମାଗଣା ବିଜୁଳି ଦେବ, ଏଥିପାଇଁ ଆପଣ ୫୦ ହଜାର ଟଙ୍କା ଖର୍ଚ୍ଚ କରିବେ। ଦିନରେ ଲଣ୍ଠନ ଦେଖାଉଛନ୍ତି ବିଜେପି ଦଳ। ଦ୍ୱିତୀୟ ଦସ୍ତଖତ ହେବ, ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ। ତୃତୀୟ ଦସ୍ତଖତ, ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା ହେବ।