ଖଲ୍ଲିକୋଟ ନିର୍ବାଚନୀ ହିଂସା: ୮ ଅଭିଯୁକ୍ତ ଗିରଫ, ୪ ପୋଲିସ ଅଧିକାରୀଙ୍କ ବଦଳି

ଖଲିକୋଟରେ ପୋଷ୍ଟର ମାରିବା ଘଟଣାକୁ ନେଇ ବିଜେଡ଼ି ଓ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।

କଡା ନିନ୍ଦା କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

ଖଲ୍ଲିକୋଟ, ୧୬/୦୫/୨୦୨୪: ଖଲ୍ଲିକୋଟରେ ଘଟିଥିବା ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ୪ ଜଣ ପୋଲିସ ଅଧିକାରୀଙ୍କ ବଦଳି କରାଯାଇଛି।

ଅନ୍ୟପଟେ ଏହି ଘଟଣାକୁ କଡା ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆମ ଗଣତନ୍ତ୍ର ଓ ସମାଜରେ ଏଭଳି ହିଂସାକାଣ୍ଡର କୌଣସି ସ୍ଥାନ ନାହିଁ। ଏହି ଘଟଣାକୁ ମୁଁ ଦୃଢ଼ ନିନ୍ଦା କରୁଛି। ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୋର ଗଭୀର ସମବେଦନା ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ଏହି ଜଘନ୍ୟ ଅପରାଧଘଟାଇଥିବା ଅପରାଧୀଙ୍କ ବିରୋଧରେ ପୁଲିସ ଦୃଢ଼ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ଏକ୍ସରେ ଲେଖିଛନ୍ତି।

ସେହିପରି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ହାରିବା ଭୟରେ ଶାସକ ଦଳ ହିଂସାର ସାହାରା ନେଉଛି। ବିଜେଡି କର୍ମୀଙ୍କ ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି। ଆମ ଦଳର କର୍ମକର୍ତ୍ତାଙ୍କ ବିୟୋଗରେ ମୁଁ ଦୁଃଖିତ। ସେମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ବାଲାଟ୍ ଜରିଆରେ ଓଡ଼ିଶାବାସୀ ଏହାର ଉଚିତ ଜବାବ ଦେବେ। ନିର୍ବାଚନ ଅଧିକାରୀ ଓ ପୁଲିସ ପ୍ରଶାସନ ତୁରନ୍ତ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ସେ ଏହି ଘଟଣାରେ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଖଲିକୋଟରେ ପୋଷ୍ଟର ଲଗାଇବାକୁ ନେଇ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ଏଥିରେ ଉଭୟ ପକ୍ଷର ୭ ଜଣ ଆହତ ହୋଇଥିବା ବେଳେ ଦିଲ୍ଲୀପ ପାହାନ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତେବେ ସମସ୍ତ ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣେ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ଖଲ୍ଲିକୋଟରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାରେ ଖଲିକୋଟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ।