ଓଡିଆଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ ବିଜେପି: ମନମୋହନ ସାମଲ

ବାଲେଶ୍ୱର, କେନ୍ଦ୍ରାପଡା, ଭୁବନେଶ୍ୱରରେ ଅନୁଷ୍ଠିତ କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡଙ୍ଗୀ ଏବଂ ଅପରାଜିତା ଷଡଙ୍ଗୀ।

ଓଡ଼ିଶାରେ ଆଉଟସୋର୍ସ ସରକାର ଚାଲିଛି: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର/ବାଲେଶ୍ୱର/କେନ୍ଦ୍ରାପଡା, ୧୮/୦୫: ଓଡିଶାରେ ଏଥର ବିଜେପି ଯଶ୍ୱସୀ ହେବ । ବିଜେପି ସହ ସାଧାରଣ ଲୋକଙ୍କ ଆର୍ଶୀବାଦ, ଶୁଭେଚ୍ଛା ଓ ସହଯୋଗ ଅଛି । ଏଥର ନିର୍ବାଚନ ସାଧାରଣ ଲୋକ ଲଢୁଛନ୍ତି । ନିର୍ବାଚନରେ ଜନତା ଅଗ୍ରଭାଗରେ ଅଛନ୍ତି, ଏଥର ବିଜେପିର ବିଜୟ ସୁନିଶ୍ଚିତ । ଓଡ଼ିଶାର ଲୋକ ଏଥର ଭ୍ରଷ୍ଟାଚାର, ଦୁନୀତିଗସ୍ତ ଶାସନର ସମାପ୍ତ କରି ବିଜେପିର ସରକାର ଗଠନ କରିବେ । ଦେଶର ୧୪୦କୋଟି ଲୋକ ଓ ଓଡ଼ିଶାରେ ସାଢ଼େ ୪କୋଟି ଜନତା “ଦେଶରେ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ଆସନରେ ଅଳଙ୍କୃତ କରିବା ସହ ଓଡ଼ିଶାରେ ବିଜେପି ସରକାର” ଗଠନ କରିବେ । ବିଜେପି ସରକାରକୁ ଆସିଲେ ଓଡ଼ିଆ ଲୋକ ଦାଦନ ଖଟି ଯିବେ ନାହିଁ । ନିଜର ଖଣିଜ ସମ୍ପତିର ସଦ୍ ବିନିଯୋଗ କରିବେ । କଳ, କାରଖାନା ପ୍ରତିଷ୍ଠା ହେବ ଓଡ଼ିଆ ଲୋକ ରୋଜଗାର ପାଇବେ । ୨୫ବର୍ଷର ବିଜେଡି ଯାହା କରିନି ୫ବର୍ଷରେ ବିଜେପି ତାହା କରି ଦେଖାଇବ । କୃଷି କ୍ଷେତ୍ରରେ ଉନ୍ନତୀ ହେବ । ପ୍ରତ୍ୟେକ ଚାଷୀ ଜଳସେଚନର ସୁବିଧା ପାଇବା ସହ ଚାଷୀଙ୍କ ଆୟ ଦିଗୁଣା ହେବ । ସବୁଠୁ ବଡ କଥା ଓଡ଼ିଶାର ପରମ୍ପରା, ଐତିହ୍ୟ ଓ ସ୍ୱାଭିମାନଙ୍କୁ ବିଜେପି ଗୁରୁତ୍ୱ ଦେବ । ଘୋଷଣା ସର୍ବସ୍ୱ ବିଜେଡି ସରକାରକୁ ବିକାଶ କଣ ବିଜେପି ସରକାର ଆସିଲେ ଦେଖାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆଜି ଭାରତୀୟ ଜନତା ପାର୍ଟିର ୫ଜଣ ତୁଙ୍ଗ ନେତା ବାଲେଶ୍ୱର, କେନ୍ଦ୍ରାପଡା ଏବଂ ଭୁବନେଶ୍ୱରରେ ରୋଡ ଶୋ ଓ କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ରୋଡ ସୋରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡଙ୍ଗୀ ଓ ଅପରାଜିତା ଷଡଙ୍ଗୀ ଯୋଗ ଦେଇଥିଲେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଗତ ୨୪ବର୍ଷ ଧରି ରାଜ୍ୟରେ ଅପାରଗ ଓ ସ୍ଥାଣୁ ସରକାର ଚାଲିଛି, ତାକୁ ବଦଳାଇବା ଦରକାର । ଓଡିଶାରେ ବିଜେପିକୁ ଥରେ ସୁଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି । ଓଡ଼ିଶାରେ ସାଢ଼େ ୪କୋଟି ଓଡ଼ିଆ ଥିବାବେଳେ ବିଜେଡି ତାମିଲନାଡୁରୁ ଭଡାଟିଆଙ୍କୁ ଆଣି ନେତା କରାଉଛି । ପର୍ଯ୍ୟଟକ ବୋଲି କହି ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଛନ୍ତି । ଏହାର ଜବାବ୍ ଓଡିଶାବାସୀ ନିଶ୍ଚିତ ଦେବେ । ବାଲେଶ୍ୱର, କେନ୍ଦ୍ରାପଡା, ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟରେ ପାନୀୟ ଜଳ ସଂକଟ ଚିନ୍ତାର କାରଣ ସାଜିଛି । ଜଳସେଚନ ଅଭାବ କାରଣରୁ ଚାଷୀ ଭାଇଭଉଣୀମାନେ ଆର୍ଥୀକ ଅନାଟନର ଶିକାର ହେଉଛନ୍ତି । ଆଜି ବି ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ଶିକ୍ଷକ ଏବଂ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ରହିଛି । ୨୫ବର୍ଷ ଶାସନ କରିବା ପରେ ବି ମୁଖ୍ୟମନ୍ତ୍ରୀ ନବୀନ ବାବୁ ସବୁଥିରେ ବିଫଳ ହୋଇଛନ୍ତି । ବିଜେପି ଶାସନରେ ଓଡିଶା ଦେଶର ଏକ ନମ୍ବର ରାଜ୍ୟ ହେବ । ଏହା ହେଉଛି ମୋଦିଙ୍କ ଗ୍ୟାରେଂଟି । ସମଗ୍ର ଓଡିଶାକୁ ମୋଦିମୟ କରିବାକୁ ଆହ୍ୱାନ ଦେବା ସହ ଓଡ଼ିଶାରେ ପରିବର୍ତନ ପାଇଁ ଲୋକେ ମନ ସ୍ଥିର କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ । ଏଥିଲାଗି ବିଜେଡିର ୨ଜଣ ନେତା ଏକାଠି ବୁଲୁଥିବା ନଜର ଆସିଛି । ସେମାନେ ବୁଲି ବୁଲି କମେଡି ଭିଡିଓ କରି ଛାଡୁଛନ୍ତି । ସେମାନେ ଡିପ୍ ଫେକ୍‌, ଏଆଇ ଭିଡିଓ କରୁଥିବା ଅଭିଯୋଗ ଉଠିବାରୁ ଏବେ ଲୁଚିଛପି ଭିଡିଓ କରାଯାଉଛି ଓ ମଝିରେ ମଝିରେ ଛଡାଯାଉଛି । ସେହିପରି କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ସମଗ୍ର ଓଡ଼ିଶାବାସୀଙ୍କୁ ଜୁନ୍ ୧୦ତାରିଖ ଦିନ ବିଜେପି ସରକାର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରି ଯାଇଛନ୍ତି । ଏଥର ପ୍ରଧାନମନ୍ତ୍ରୀ ୪ଶହ ପାର ନାରାକୁ ସଫଳ କରିବା । ଓଡ଼ିଶାରେ ଏଥର ବିଜେପି ସରକାର ଗଠନ ହେବ ଓ ଜୁନ୍ ୧୦ତାରିଖ ଓଡିଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଓଡ଼ିଶାର ଜଣେ ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ବିଜେପି ସରକାର କରିବାକୁ ଓଡ଼ିଶାର ଜନତା ମନସ୍ଥ କରିସାରିଲେଣି । କାରଣ ମୋଦି ସରକାର ଓଡ଼ିଶାର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବେ । ନବ ଓଡ଼ିଶାର ନିର୍ମାଣ ହେବ, ତେଣୁ ଓଡ଼ିଶାରେ ପ୍ରଥମଥର ପାଇଁ ବିଜେପି ସରକାର ଆଣିବାକୁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଛନ୍ତି ।
ଓଡିଶାରେ ବିକାଶକୁ ଶିଖରରେ ପହଂଚାଇବା ପାଇଁ ବିଜେପି ଏକମାତ୍ର ବିକଳ୍ପ । ନୂତନ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ ବୋଲି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ କହିଛନ୍ତି ।
ସେହିପରି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ, ଓଡ଼ିଶାରେ ଆଉଟସୋର୍ସ ସରକାର ଚାଲିଛି । ଆଉ ଜଣେ ସରକାର ଚଳାଉଛନ୍ତି । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ରେ ଲୋକ ନଥିଲେ । ରୋଡ ଶୋ’ରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ କ୍ରୀତଦାସ ଯାଇଥିଲେ । ସବଠୁ ଆଶ୍ଚର୍ଯ୍ୟର କଥା ହେଲା ମୁଖ୍ୟମନ୍ତ୍ରୀଙ୍କ ସହ କେହି ବିଜେଡି ପ୍ରାର୍ଥୀ ନଥିଲେ । କ’ଣ ବିଜେଡି ପ୍ରାର୍ଥୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନାହିଁ? ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଅଧିକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ବିଜେପି ସରକାର ଆସିଲେ ଆଉ ଦାଦନ ଖଟିବାକୁ କେହି ଯିବେ ନାହିଁ । ସମସ୍ତଙ୍କୁ ଓଡ଼ିଶାରେ କାମ ମିଳିବ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।