ପଦ୍ମ ଦଳରେ ସମୀର

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି।

ଆଜି ସକାଳେ ବିଜେଡି ଛାଡିଥିଲେ

ଭୁବନେଶ୍ବର,୧୯/୦୫/୨୦୨୪: ବିଜେଡିରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ ବିଜେପିରେ ଯୋଗ ଦେଇଛନ୍ତି ସମୀର ରଞ୍ଜନ ଦାସ। ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେପି ମୁଖ୍ୟାଳୟରେ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର, ନିମାପଡ଼ା ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି।

ଦଳରେ ଯୋଗଦେବା ପରେ ସମୀର କହିଛନ୍ତି ଯେ “ମୁଁ ଗତ କିଛି ବର୍ଷ ଧରି ଜଣେ ଶୃଙ୍ଖଳିତ କର୍ମୀ ଭାବେ ବିଜେଡିରେ କାର୍ଯ୍ୟ କରୁଥିଲି। କିନ୍ତୁ ନିମାପଡ଼ାରେ ଦଳ ଓ ଏହାର ନେତା ମୋତେ ଓ ମୋ ସଂଗଠନ ଉପରେ ବିଶ୍ୱାସ କରିନଥିଲେ। ଯେଉଁ ଦଳରେ ବିଶ୍ୱାସର ଅଭାବ ରହିଛି ସେଠାରେ ମୁଁ କାମ କରିପାରିବି ନାହିଁ। ବିଜେପିର ଆଦର୍ଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ମୋ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଲି। ଦଳ ମୋତେ ଯାହା ବି ଦାୟିତ୍ୱ ଦେବ ମୁଁ ତାକୁ ନିଷ୍ଠାର ସହ ତୁଲାଇବି ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଧାୟକ ଟିକେଟ ନ ମିଳିବାରୁ ସେ କିଛି ଦିନ ଧରି ଦଳ ଉପରେ କ୍ଷୁବ୍ଧ ଥିଲେ। ଦଳ ତାଙ୍କୁ ଟିକେଟ ନ ଦେଇ ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେଇଥିଲା। ହେଲେ, ସେ ତାଙ୍କର ସାଂଗଠନିକ ଦକ୍ଷତା ପ୍ରଦର୍ଶିତ କରିବା ପାଇଁ ବିଭିନ୍ନ ପ୍ରକାର ସମାବେଶ ମଧ୍ୟ ଆୟୋଜିତ କରୁଥିଲେ। କିନ୍ତୁ ଦଳ ଉପରେ ଏସବୁର କୌଣସି ପ୍ରଭାବ ପକାଇ ପାରି ନଥିଲା। ତେବେ ଆଜି ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେଡିର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ। ଦଳୀୟ ନେତା ତାଙ୍କ ଉପରେ ଆସ୍ଥା ହରାଇଥିବା ଦର୍ଶାଇ ବିଧାୟକ ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ। ଏ ନେଇ ଏକ ଭିଡିଓ ବାର୍ତ୍ତା ମଧ୍ୟ ସୋସିଆଲ ମିଡ଼ିଆରେ ଜାରି କରିଥିଲେ।

ସୂଚନାଯୋଗ୍ୟ, ସମୀର ରଞ୍ଜନ ଦାସ ୨୦୦୯, ୨୦୧୪, ୨୦୧୯ରେ ଲଗାତାର ତିନି ଥର ନିମାପଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ସହ ସେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।