ବିରୋଧୀଙ୍କ ଅସ୍ତ୍ର ମିଛ, ବିଜେଡିର ଅସ୍ତ୍ର ବିକାଶ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ।

ଭୋଟ ପାଇଁ ମିଛ କଥା କୁହେ ବିଜେପି: ପାଣ୍ଡିଆନ

ଭୁବନେଶ୍ବର, ୧୯/୦୫/୨୦୨୪: କେନ୍ଦୁଝର ସଦରରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଆଜି କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ବିଜୁ ଜନତା ଦଳ ପାଇଁ ଭୋଟ ମାଗିଛନ୍ତି। ବିଜୁ ଜନତା ଦଳର କେନ୍ଦୁଝରର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ସଭାରେ ବିରୋଧୀ ଦଳକୁ ଆକ୍ରମଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, କିନ୍ତୁ ବିକାଶ ବିଜେଡିର ଅସ୍ତ୍ର। ଏଠି କୁମ୍ଭୀର କାନ୍ଦଣା ଚଳିବନାହିଁ। ବିଏସକେୱାଇ, ମିଶନ ଶକ୍ତି, ଲକ୍ଷ୍ମୀ ବସ୍‌, ମମତା, ୫-ଟି ସ୍କୁଲ, ଛାତ୍ରବୃତ୍ତି, କାଳିଆ, ମଧୁବାବୁ ପେନ୍‌ସନ, ଚାଉଳ କାର୍ଡ ଇତ୍ୟାଦି ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ସଂପର୍କରେ ଜନମତ ନେବା ସହ ନବୀନ ପଟ୍ଟନାୟକ ଭଲ କି ବୋଲି ପ୍ରଶ୍ନରେ ଭାବବିହ୍ବଳପୂର୍ଣ୍ଣ ‘ହଁ’ ରେ ପ୍ରତିଧ୍ବନିତ ହେଲା ସଭାସ୍ଥଳ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଜୁଲାଇରୁ ବିଜୁଳି ବିଲ୍‌ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ମାଗଣାରେ ବିଜୁଳି ଦେବ, ଆପଣଣାନେ ଖୁସି ତ? ପୁରୀ ପରିକ୍ରମା ପ୍ରକଳ୍ପ କାମ ଓ ମା ସମଲେଇ ପ୍ରକଳ୍ପ କାମ ଭଲ ହୋଇଛି କି ନାହିଁ ପ୍ରଶ୍ନରେ ବହୁତ ଭଲ ବୋଲି ଉଚ୍ଚ ସ୍ବରରେ ଉତ୍ତର ଦେଇଥିଲେ ଜନତା।

ସଭାରେ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ସବୁଠାରୁ ଭଲ ଜାଗାରେ ଅଛନ୍ତି ଆଦିବାସୀ ଭାଇଭଉଣୀମାନେ। ସେମାନଙ୍କର କଳା, ସଂସ୍କୃତି, ପୂଜାସ୍ଥଳୀର ରକ୍ଷଣାବେକ୍ଷଣ ଓ ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି, ଯାହା ଭାରତବର୍ଷର କୌଣସି ରାଜ୍ୟରେ ହୋଇନାହିଁ। ଆଦିବାସୀ ଭାଇଭଉଣୀ ମାନଙ୍କ ଉପରୁ ୫୦ ହଜାର ଛୋଟ ବଡ ପୋଲିସ କେସ୍‌ ରଦ୍ଦ କରିଛନ୍ତି। ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀ ଭାଇଭଉଣୀମାନେ ଠକାମୀର ଶିକାର ନ ହେବା ପାଇଁ ‘ଲାଭ’ ଯୋଜନା ଆରମ୍ଭ କରିଛନ୍ତି, ଏହାଦ୍ବାରା ସେମାନେ ଜଙ୍ଗଲ ଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଉଛନ୍ତି। ହଜାର ହଜାର ହଷ୍ଟେଲ ମାଧ୍ୟମରେ ଲକ୍ଷ ଲକ୍ଷ ଆଦିବାସୀ ପିଲା ପାଠ ପଢୁଛନ୍ତି।

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସି ନିର୍ବାଚନ ପାଇଁ ଏଠାରେ ବୁଲୁଛନ୍ତି। ସେମାନଙ୍କୁ ପଚାରନ୍ତୁ, ତାଙ୍କ ରାଜ୍ୟରେ ସେମାନେ ଏଭଳି କିଛି କରିଛନ୍ତି କି? ଏଠାରେ ଆସି ବଡ ବଡ କଥା କହୁଛନ୍ତି। ୧୦ ବର୍ଷ ତଳେ ବିଜେପି ଦଳ କହିଥିଲା ଆମେ କ୍ଷମତାକୁ ଆସିଲେ ଦରଦାମ କମାଇବୁ, ରୋଜଗାର ବୃଦ୍ଧି କରିବୁ, ହେଲେ କିଛି କଲେ ନାହିଁ। ଏବେ ଆସି ଭୋଟ ପାଇଁ ମିଛ କଥା କହୁଛନ୍ତି, ଅପପ୍ରଚାର କରୁଛନ୍ତି। ଏମାନେ ଲୋକଙ୍କ ପାଇଁ କାମ କରନ୍ତି ନାହିଁ, ଭୋଟ ପାଇଁ ମିଛ କଥା କୁହନ୍ତି। ଆମ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରିଥାନ୍ତି।

ଜୁନ ୯ ରେ ୧୧.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ ଓଡିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍ ଛାଡ। ଦ୍ବିତୀୟ ଦସ୍ତଖତ ହେବ ସମସ୍ତେ ବିଏସକେୱାଇରେ ସାମିଲ ହେବେ, ସମସ୍ତଙ୍କୁ ମିଳିବ ସ୍ବାସ୍ଥ୍ୟ ସୁରକ୍ଷା। ତୃତୀୟ ଦସ୍ତଖତ ହେବ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟା ଓ କର୍ମୀମାନଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା। ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାନ୍ତୁ। ବିଜେପି କହୁଛି ମାଗଣା ବିଜୁଳି ଦେବ, ଏଥିପାଇଁ ଆପଣଙ୍କୁ ୫୦ ହଜାର ଖର୍ଚ୍ଚ କରିବାକୁ ପଡିବ। ତା ପରେ ସୂର୍ଯ୍ୟକିରଣରୁ ପାଇବେ ମାଗଣା ବିଜୁଳି, ବିଜେପି ଦଳ ଦିନରେ ଲଣ୍ଠନ ଦେଖାଉଛି ବୋଲି ପାଣ୍ଡିଆନ କହିଥିଲେ।