ଆନନ୍ଦପୁରରେ ମୁଖ୍ୟମନ୍ତ୍ରୀଙ୍କ ଜୋରଦାର ପ୍ରଚାର

କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସାଂସଦ ଓ ଆନନ୍ଦପୁର ଓ ଘଷିପୁରାର ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ।

ବିଜେଡ଼ି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ

ଭୁବନେଶ୍ବର, ୧୯/୦୫/୨୦୨୪: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଆନନ୍ଦପୁରରେ ପ୍ରଚାର କରିଛନ୍ତି। କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସାଂସଦ ଓ ଆନନ୍ଦପୁର ଓ ଘଷିପୁରାର ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ।

ସେଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଅସ୍ତ୍ର। କୁମ୍ଭୀର କାନ୍ଦଣା ଚଳିବନି। ବିଏସକେୱାଇ, ମିଶନ ଶକ୍ତି, ଲକ୍ଷ୍ମୀ ବସ୍‌, ମମତା, ୫-ଟି ସ୍କୁଲ, ଛାତ୍ରବୃତ୍ତି, କାଳିଆ, ମଧୁବାବୁ ପେନ୍‌ସନ, ଚାଉଳ କାର୍ଡ ଇତ୍ୟାଦି ବିଭିନ୍ନ ଜଲକଲ୍ୟାଣକାରୀ ଯୋଜନାର ସୁଫଳ ସଂପର୍କରେ ଜନମତ ନେଲେ।

ନବୀନ ପଟ୍ଟନାୟକ ଭଲ କି ପ୍ରଶ୍ନରେ ସମବେତ ଜନତାଙ୍କ ‘ହଁ’ ରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ। ଜୁଲାଇରୁ ବିଜୁଳ ବିଲ୍‌ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ମାଗଣାରେ ବିଜୁଳି ଦେବ, ଆପଣଣାନେ ଖୁସି ତ? ପୁରୀ ମନ୍ଦିର ଓ ମା ସମଲେଇ ପ୍ରକଳ୍ପ କାମ ଭଲ ହୋଇଛି କି ନାହିଁ ପଚାରିଥିଲେ। ବହୁତ ଭଲ ବୋଲି ଉଚ୍ଚ ସ୍ବରରେ ଉତ୍ତର ଦେଇଥିଲେ ଜନତା।

ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ବିଜେପିକୁ ଟାର୍ଗେଟ କରି କହିଥିଲେ ଯେ, ବିଜେପିର ଚାଲକୁ ବୁଝନ୍ତୁ। ବିଜେପିର ମିଛ ପ୍ରଚାର ବିଷୟରେ ମଧ୍ୟ ସମସ୍ତଙ୍କୁ ସତର୍କ କରାନ୍ତୁ। ଆପଣଙ୍କ ଜୋସ୍‌ ଦେଖି ବିରୋଧୀଙ୍କ ନିଦ ଭାଙ୍ଗିଗଲାଣି। ଜଣାପଡୁଛି ବିରୋଧୀଙ୍କୁ ଆପଣ ଠିକ୍‌ ଜବାବ ଦେବେ।

ଆପଣମାନଙ୍କ ଖୁସିରେ ମୁଖ୍ୟମନ୍ତ୍ରୀ ଖୁସି ହୁଅନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟ ସବୁଠାରୁ ଭଲ ଜାଗାରେ ସେ ଆଦିବାସୀ ଭାଇଭଉଣୀ ମାନଙ୍କୁ ରଖିଛନ୍ତି। ଆଦିବାସୀ ସଂପ୍ରଦାୟଙ୍କୁ ସେ ବହୁତ ଭଲ ପାଆନ୍ତି। ସେମାନଙ୍କ କଳା, ସଂସ୍କୃତି, ପୂଜାସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଡବଲ ଇଞ୍ଜିନ କଥା କହୁଥିବା ବିଜେପି ସରକାର କହିପାରିବେ କି, କେଉଁ ରାଜ୍ୟରେ ଆଦିବାସୀ ମାନଙ୍କ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇଭଉଣୀ ମାନଙ୍କ ଉପରୁ ୫୦ ହଜାର ଛୋଟ ବଡ ପୋଲିସ କେସ୍‌ ରଦ୍ଦ କରିଛନ୍ତି। ହଜାର ହଜାର ହଷ୍ଟେଲ ମାଧ୍ୟମରେ ଲକ୍ଷ ଲକ୍ଷ ଆଦିବାସୀ ପିଲାଙ୍କୁ ପାଠ ପଢାଉଛନ୍ତି। ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀ ଭାଇଭଉଣୀମାନଙ୍କୁ ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଦେବା ପାଇଁ ‘ଲାଭ’ ଯୋଜନା ଆରମ୍ଭ କରିଛନ୍ତି। ବିରୋଧୀ ଦଳ ନେତା ମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣଙ୍କ ଭଲ ପାଇବା ଦେଖି ପୁରା ଭାଙ୍ଗି ପଡିଛନ୍ତି।

ଜୁନ ୯ ରେ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସାରା ଓଡିଶା ଜାଣିଲାଣି। ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ ଓଡିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍ ଛାଡ। ଦ୍ବିତୀୟ ଦସ୍ତଖତ ହେବ ସମସ୍ତେ ବିଏସକେୱାଇ ନବୀନ କାର୍ଡ ପାଇବେ। ତୃତୀୟ ଦସ୍ତଖତ ହେବ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟା ଓ କର୍ମୀମାନଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା, ଏହା ସେମାନଙ୍କର ବହୁ ଦିନର ଦାବୀ ଥିଲା।

ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିରୋଧୀଙ୍କୁ ସକ୍‌ ମାରିଲାଣି, ସେମାନେ କହୁଛନ୍ତି ବିଜୁଳି ମାଗଣା ଦେବେ। ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ, ତା ପରେ ସୋଲାର ପ୍ୟାନେଲ ମାଧ୍ୟମରେ ସୂର୍ଯ୍ୟକିରଣରୁ ପାଇବେ ମାଗଣା ବିଜୁଳି, ଦିନରେ ଲଣ୍ଠନ ଦେଖାଉଛି ବିଜେପି ଦଳ। ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ସୁଖଦୁଃଖରେ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାନ୍ତୁ। ଆନନ୍ଦପୁରରେ ୫୦ ହଜାର ଓ ଘଷିପୁରରେ ୬୦ ହଜାର ଭୋଟ ବ୍ୟବଧାନରେ ଜିତାଇବା ପାଇଁ ପ୍ରତିଶ୍ରୁତି ଦେଲେ ଜନତା।