ପଶ୍ଚାତାପ କରିବେ ସମ୍ବିତ ପାତ୍ର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମୋଦିଙ୍କ ଭକ୍ତ କହିବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି ସମ୍ବିତ ପାତ୍ର।

ତିନି ଦିନ ଉପବାସରେ ରହିବେ

ଭୁବନେଶ୍ବର, ୨୧/୦୫: ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହି ସମସ୍ତଙ୍କ ସମାଲୋଚନାର ଶିକାର ହୋଇଥିବା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ତାଙ୍କ ଭୁଲ ପାଇଁ କ୍ଷମା ମାଗିଛନ୍ତି।

ଏକ ଭିଡିଓ ଜରିଆରେ ଏ ସଂକ୍ରାନ୍ତରେ ଶ୍ରୀ ପାତ୍ର ସ୍ପଷ୍ଟୀକରଣ ରଖିଛନ୍ତି। “ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରେ ଏକ ବିଶାଳ ରୋଡ୍ ସୋ’ କରିଥିଲେ। ରୋଡ୍ ସୋ ପରେ ଏକ ନ୍ୟୁଜ୍ ଚ୍ୟାନେଲକୁ ପ୍ରତିକ୍ରିୟା ଦେବା ସମୟରେ ମୁଁ ଭାବବିହ୍ୱଳ ହୋଇ ମହାପ୍ରଭୁ ଜଗନ୍ନାଥ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭକ୍ତ ବୋଲି କହିଥିଲି। ଯାହା ଏକ ଗମ୍ଭୀର ଭୁଲ। ଅଜାଣତରେ ମହାପ୍ରଭୁଙ୍କୁ ଏଭଳି କଥା କହିବା ଉଚିତ ନୁହେଁ। ଜଣେ ସାଧାରଣ ଲୋକ ମଧ୍ୟ ଏହା ବୁଝନ୍ତି । ମୁଁ ନିଜେ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ। ମୁଁ ଅଜାଣତରେ ଏହି ବୟାନ ଦେଇଥିଲି ଯାହା ପାଇଁ ମୁଁ ତାଙ୍କୁ ପ୍ରଣାମ କରୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ପ୍ରଣାମ କରି କ୍ଷମା ପ୍ରାର୍ଥନା କରୁଛି। ମୋର ଭୁଲ ସୁଧାରିବା ଏବଂ ପଶ୍ଚାତାପ କରିବା ପାଇଁ ମୁଁ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଉପବାସ କରିବି।”

ଉଲ୍ଲେଖଯୋଗ୍ୟ ଯେ, ଗତକାଲି ପୁରୀରେ ମୋଦିଙ୍କ ରୋଡ୍ ସୋ’ ପରେ ଏକ ବୈଦୁତିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପାତ୍ର କହିଥିଲେ, ମୋଦିଙ୍କୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ପୁରୀ ଆସିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ମୋଦିଙ୍କ ଭକ୍ତ। ଆଉ ଆମେ ସମସ୍ତେ ମୋଦିଙ୍କ ପରିବାରର। ମୁଁ ମୋ ଭାବନାକୁ ନିୟନ୍ତ୍ରଣ କରିପାରିବି ନାହିଁ। ତେବେ ଶ୍ରୀ ପାତ୍ରଙ୍କ ଏହି ବୟାନ ବିଜୁଳି ବେଗରେ ଭାଇରାଲ ହେବା ସହ ଶ୍ରୀ ପାତ୍ର କଡ଼ା ସମାଲୋଚନାର ଶିକାର ହୋଇଥିଲେ।