ନିର୍ବାଚନରେ ମହାପ୍ରଭୁଙ୍କୁ ଟାଣିବା ପଲିଟିକାଲ ଷ୍ଟ୍ରାଟେଜି

ମହାପ୍ରଭୁଙ୍କୁ ନରେନ୍ଦ୍ର ମୋଦୀଙ୍କ ଭକ୍ତ ବୋଲି କହିବା ପରେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ପାଣ୍ଡିଆନ।

ନିର୍ବାଚନରେ ମୂର୍ଚ୍ଛା ନ ହେବା ପାଇଁ ଭଲଭାବେ ଖାଆନ୍ତୁ ସମ୍ବିତ କହିଲେ ପାଣ୍ଡିଆନ

ଭୁବନେଶ୍ବର, ୨୧/୦୫: ବିଜେପି ନେତା ଡକ୍ଟର ସମ୍ବିତ ପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପାଣ୍ଡିଆନ କହିଛନ୍ତି ଯେ, ବିଜେପି ଓଡ଼ିଆ ଅସ୍ମିତା କଥା କହୁଛି। ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଅସ୍ମିତାର ପ୍ରତୀକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କୁହନ୍ତି ଆମେ ମହାପ୍ରଭୁଙ୍କୁ ସର୍ବଦା ରାଜନୀତିରୁ ଊର୍ଦ୍ଧ୍ବରେ ରଖିବା ଉଚିତ୍ । ଭଗବାନ ଶାଶ୍ଵତ ଆମେ ନଶ୍ୱର ଏ ଦୁହିଁଙ୍କୁ ମିଶ୍ରଣ କରିବା ଅନୁଚିତ। ସମ୍ବିତ ପାତ୍ରଙ୍କ ଏଭଳି ବୟାନ ଯୋଗୁଁ ମୁଖ୍ୟମନ୍ତ୍ରୀ ମର୍ମାହତ।

ଧର୍ମ କିମ୍ବା ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜନୀତି କରିବାକୁ ଓଡ଼ିଶାବାସୀ ପସନ୍ଦ କରନ୍ତି ନାହିଁ। ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଛି। ୨୦୧୯ ପଂଚାୟତ ନିର୍ବାଚନରେ ମଧ୍ୟ ବିଜେପି ଏପରି କରିଥିଲା। ସେମାନେ ସବୁବେଳେ ଧର୍ମ କିମ୍ବା ମହାପ୍ରଭୁ ଜଗନ୍ନାଥଙ୍କ ସହ ଯୋଡନ୍ତି। ଏହା ତାଙ୍କର ଏକ ରାଜନୈତିକ ରଣନୀତି ଯାହା ସେମାନେ କରିବାକୁ ଚେଷ୍ଟା କରୁଛନ୍ତି।

ସେହିପରି ସମ୍ବିତ ପାତ୍ରଙ୍କ ଉପବାସ ରଖିବା ଉପରେ ପ୍ରତିକ୍ରିୟା ରଖି ପାଣ୍ଡିଆନ କହିଛନ୍ତି ଯେ, ସେ ଭଲ ଭାବେ ଖାଆନ୍ତୁ ଓ ନିଜର ଯତ୍ନ ନିଅନ୍ତୁ। ନିର୍ବାଚନକୁ ଆଉ ତିନି ଦିନ ବାକି ଥିବା ବେଳେ ସେ ମୂର୍ଚ୍ଛା ହୋଇ ନ ଯାଆନ୍ତୁ। ସେ ନିଜେ ଜଣେ ଡାକ୍ତର। ତେଣୁ ନିଜର ଯତ୍ନ କିପରି ନିଆଯିବ ସେ ଭଲ ଭାବରେ ଜାଣିଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ।