ବିଜେପି-ବିଜେଡି ମଧ୍ୟରେ ‘ଏଆଇ’ କଳି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ନେଇ ବିଜେପି ପ୍ରଶ୍ନ କରିବା ପରେ ମୁଖ୍ୟମନ୍ତ୍ରୀ ଏହାର ମୁହଁତୋଡ ଜବାବ ଦେଇଛନ୍ତି।

‘ଏଆଇ’ ବ୍ୟବହାର ପାଇଁ ବିଜେପିକୁ ନବୀନଙ୍କ ପରାମର୍ଶ

ଭୁବନେଶ୍ବର, ୨୨/୦୫: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ବିଜେପି ବିଜେଡି କଳି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରି ଡିପ୍ ଫେକ୍ ଭିଡିଓରେ ନିଜର ମତ ରଖୁଛନ୍ତି। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ନବୀନଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ପ୍ରସ୍ତୁତ ସ୍କ୍ରିପ୍ଟ ପଢୁଛନ୍ତି ଏବଂ ଗୋଟିଏ ମିନିଟ୍ ମଧ୍ୟରେ ନିଜ ଭାଷଣକୁ ଶେଷ କରୁଛନ୍ତି। କିନ୍ତୁ ବିଭିନ୍ନ ପ୍ରସଙ୍ଗରେ ସୋସିଆଲ ମିଡ଼ିଆରେ ଅପଲୋଡ ହେଉଥିବା କ୍ଷୁଦ୍ର ଭିଡ଼ିଓରେ ମୁଖ୍ୟମନ୍ତ୍ରୀ ଭିନ୍ନ ଢଙ୍ଗରେ କଥା ହେଉଥିବା ଶୁଣିବାକୁ ମିଳୁଛି ଏବଂ ମୁଖ୍ୟମନ୍ତ୍ରୀ ପ୍ରକୃତରେ ଭିଡିଓରେ ନଜର ଆସୁଛନ୍ତି ନା ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ସୃଷ୍ଟି ହୋଇଥିବା ଡିପ୍ ଫେକ୍ ଭିଡିଓ ବୋଲି ବିଜେପି ନେତା ପ୍ରଶ୍ନ କରିଛନ୍ତି। ଯଦି ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡିଓଗୁଡ଼ିକ ଅସଲି ତେବେ ମୁଖ୍ୟମନ୍ତ୍ରୀ ସ୍କ୍ରିପ୍ଟ ନପଢି ଜନସଭାକୁ ସମ୍ବୋଧିତ କରିବା ସମୟରେ ସମାନ ଶୈଳୀରେ ନିଜ ଅଭିଭାଷଣ ରଖିପାରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ପୂର୍ବରୁ ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନବୀନଙ୍କ ଭିଡ଼ିଓ ଉପରେ ପ୍ରଶ୍ନ ଉଠାଇଥିଲେ। ବୈଜୟନ୍ତ କହିଥିଲେ ଯେ, ଭିଡିଓକୁ ଭଲଭାବରେ ଦେଖିଲେ ଜଣାପଡୁଛି ଯେ ଭିଡିଓରେ ଥିବା ମୁଖ୍ୟମନ୍ତ୍ରୀ ସେ ନିଜେ ନୁହନ୍ତି। ଅଧିକାଂଶ ଭିଡିଓ ଡିପଫେକ୍। ଏହାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ପ୍ରସ୍ତୁତ କରାଯାଉଛି।

ବିଜେପିର ଏହି ଅଭିଯୋଗ ପରେ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ବିଜେପିର ଏହି ପ୍ରଶ୍ନକୁ ହାସ୍ୟରେ ଉଡାଇ ଦେଇ ଏକ ମଜାଳିଆ ଢଙ୍ଗରେ ବିଜେପିକୁ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଭିଡିଓରେ ଦେଖାଯାଇଛି ଯେ, କାର୍ତ୍ତିକ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କୁ ଏଆଇ ବ୍ୟବହାର କରୁଥିବା ବିଜେପିର ଅଭିଯୋଗ ବିଷୟରେ ପ୍ରଶ୍ନ ପଚାରି କହିଛନ୍ତି ଯେ, ବିଜେପି ନେତା କହୁଛନ୍ତି ଆପଣ ଭିଡିଓରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ଯବହାର କରୁଛନ୍ତି। ଯାହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଭଲ କଥା। ସେମାନେ ବି ଏଆଇ ବ୍ଯବହାର କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।