ଆଜି ସରିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର

ଆସନ୍ତା ୨୫ ତାରିଖରେ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

ଶେଷ ପ୍ରୟାସରେ ପ୍ରାର୍ଥୀ

ଭୁବନେଶ୍ବର, ୨୩/୦୫: ଆସନ୍ତା ୨୫ ତାରିଖରେ ଓଡ଼ିଶାର ଲୋକସଭା ଓ ବିଧାନସଭା ଆସନ ପାଇଁ ହେବାକୁ ଯାଉଛି ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, କେନ୍ଦୁଝର ଓ ଢେଙ୍କାନାଳ ଭଳି ୬ଟି ଲୋକସଭା ଆସନ ସହ ଏହା ଅଧୀନରେ ଥିବା ୪୨ଟି ବିଧାନସଭା ଆସନ ପାଇଁ ଆସନ୍ତା ୨୫ ତାରିଖରେ ମତଦାନ ହେବ।

ଏ ନେଇ ବିଭିନ୍ନ ଦଳ ପକ୍ଷରୁ ଜୋରସୋରରେ ପ୍ରଚାର ଚାଲିଛି। ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହେବ ପ୍ରଚାର। ଆଜି ଶେଷ ଦିନରେ ପ୍ରକାରକୁ ତେଜୀୟାନ କରିବାକୁ ଲାଗି ପଡିଛନ୍ତି ବିଭିନ୍ନ ଦଳ। ଭୋଟ ହାତେଇବାକୁ ସ୍ୱତନ୍ତ୍ର ଗୋଷ୍ଠୀ ଉପରେ ରଖୁଛନ୍ତି ପୁରା ନଜର। ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳ ଯଥାକ୍ରମେ ବିଜେଡ଼ି, ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ରୋଡ୍ ସୋ ଓ ଜନ ସମାବେଶ କରି ଭୋଟରଙ୍କ ମନ ଜିଣିବା ପାଇଁ ପୁରା ଚେଷ୍ଟାରତ।

ଆଜି ଅପରାହ୍ନ ୫ଟାରେ ନିର୍ବାଚନ ପ୍ରଚାର ଶେଷ ହେବାକୁ ଯାଉଥିବା ବେଳେ ପ୍ରଚାର ପାଇଁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏଣୁ ବହୁ ସଂଖ୍ୟାରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ହେଭି-ୱେଟ ନେତାମାନେ ମଧ୍ୟ କୌଣସି କସରତ ଛାଡ଼ୁନାହାନ୍ତି। ବିଜେପିର ହେଭି-ୱେଟ ନେତା ତଥା ଜେପି ନଡ୍ଡା, ଯୋଗୀ ଆଦିତ୍ୟନାଥ ଓ ହିମନ୍ତ ବିଶ୍ୱଶର୍ମା ରାଜ୍ୟରେ ପ୍ରଚାର କରିବେ।

କଟକରେ ବିଜେଡିର ସନ୍ତୃପ୍ତ ମିଶ୍ର, ବିଜେପିର ଭର୍ତ୍ତୃହରି ମହତାବ ଓ କଂଗ୍ରେସ ପ୍ରାର୍ଥୀ ସୁରେଶ ମହାପାତ୍ରଙ୍କ ମଧ୍ୟରେ ଲଢ଼େଇ ହେବ। ସେହିପରି ପୁରୀରେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ଭୁବନେଶ୍ବରରେ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଜେପିର ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଲଢ଼େଇ ହେବ। ସେହିପରି ପଶ୍ଚିମ ଓଡ଼ିଶାର ସମ୍ବଲପୁର ଲୋକସଭା ଆସନରେ ବିଜେଡିର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ମୁକାବିଲା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ବିଜେପିର ନେତା ଧର୍ମେନ୍ଦ୍ର ପ୍ରଧାନ।