ଓଡ଼ିଶାରେ ଆସିବ ଯୁବ ବଜେଟ୍

ଯୁବପିଢିଙ୍କ ଜରିଆରେ ନୂଆ ଓଡ଼ିଶା ଗଠନ ଲକ୍ଷ୍ୟ ଦିଗରେ ରାଜ୍ୟ ସରକାର ଆଣିବେ ଯୁବ ବଜେଟ୍।

ଯୁବପିଢିଙ୍କ ପାଇଁ ଆସିବ ସୁବର୍ଣ୍ଣ ଯୁଗ

ଭୁବନେଶ୍ବର, ୨୩/୦୫: ଯୁବପିଢିଙ୍କ ପାଇଁ ନବୀନଙ୍କ ନିଷ୍ପତ୍ତି। ଓଡ଼ିଶା ଆଣିବ ଯୁବ ବଜେଟ୍। ଦେଶରେ ପ୍ରଥମ କରି ଓଡ଼ିଶା ଆଣିବାକୁ ଯାଉଛି ଯୁବକଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍। ଆଗାମୀ ୧୦ ବର୍ଷ ଯାଏଁ ଯୁବପିଢିଙ୍କ ପାଇଁ ଏକ ଲକ୍ଷ କୋଟିର ବଜେଟ୍ ଆଣିବେ ନବୀନ ସରକାର। ଯୁବପିଢିଙ୍କ ଜରିଆରେ ନୂଆ ଓଡ଼ିଶା ଗଠନ ଲକ୍ଷ୍ୟରେ ଏହି ଯୁବ ବଜେଟ୍ ଅଣାଯାଇଛି। ଏ ନେଇ ସମ୍ପୁର୍ଣ୍ଣ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ।

ଗଣମାଧ୍ୟମକୁ ସୂଚନା ଦେଇ ପାଣ୍ଡିଆନ କହିଛନ୍ତି ଯେ, ବିଜେଡ଼ି ଇସ୍ତାହାରରେ ଯୁବପିଢିଙ୍କୁ ପ୍ରାଥମିକତା ଦେଇଛନ୍ତି ରାଜ୍ୟ ସରକାର। ଦେଶରେ ପ୍ରଥମ କରି ଓଡ଼ିଶା ଆଣିବ ଯୁବ ବଜେଟ୍। ଯୁବପିଢ଼ିଙ୍କ ନିମନ୍ତେ ଆଗାମୀ ୧୦ ବର୍ଷ ପାଇଁ ୧ ଲକ୍ଷ କୋଟିର ସ୍ୱତନ୍ତ୍ର ବଜେଟ୍ ଆସିବ। ଯୁବକମାନଙ୍କ ପରାମର୍ଶକୁ ଆଧାର କରି ଏଥିରେ ପ୍ରତିବର୍ଷ ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏପର୍ଯ୍ୟନ୍ତ ୧୦୦୦ କଲେଜ ରୂପାନ୍ତରଣ ହୋଇଥିବା ବେଳେ ଆଗକୁ ଆହୁରି କଲେଜ ରୂପାନ୍ତରଣ ହେବ। ପୁଅମାନେ ବାର୍ଷିକ ୧୨ ହଜାର ଟଙ୍କାର ନୂଆ-ଓ ବୃତ୍ତି ପାଇବେ ଓ ଝିଅ ମାନେ ୧୪ ହଜାର ଟଙ୍କାର ନୂଆ-ଓ ବୃତ୍ତି ପାଇବେ। ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଓ ରୋଜଗାର ବୃଦ୍ଧି କରିବା ପାଇଁ ଏହି ବଜେଟ୍ ଅଣାଯାଇଛି। ଆଗାମୀ ୫ ବର୍ଷରେ ୨ ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ। ସ୍ୱୟମ ଉଦ୍ୟୋଗୀ ଋଣକୁ ୧ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ। ଓଡ଼ିଶାରେ ଏକ ନୂତନ କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ଷ୍ଟେଟ୍ ଇନଷ୍ଟିଚ୍ୟୁଟ ଅଫ ଫ୍ୟାଶନ ଟେକ୍ନୋଲୋଜି ଏବଂ ଏଆଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ।