ନିଆଳିରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ବିରୋଧୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିବା ଜବାବରେ ଆପଣମାନେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ ଓ ୭୦ ହଜାର ମାର୍ଜିନରେ ଜିତାନ୍ତୁ।

କାର୍ତ୍ତିକଙ୍କ ସବୁ ପ୍ରଶ୍ନର ଉତ୍ତର ଗୋଟିଏ- ନବୀନ ପଟ୍ଟନାୟକ

ଭୁବନେଶ୍ବର, ୨୩/୦୫: ନିଆଳିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିବା ବେଳେ ବିଜେଡିର ବରିଷ୍ଠ ନେତା ତଥା ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ସ୍ୱାଗତ କରିଛନ୍ତି ବିଶାଳ ଜନସମୁଦ୍ର। ଏହି ଅବସରରେ ପାଣ୍ଡିଆନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହ ବିଜେଡିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ନିବେଦନ କରିଛନ୍ତି।

ପାଣ୍ଡିଆନ ସେଠାରେ ଉପସ୍ଥିତ ସାଧାରଣ ଜନତାଙ୍କୁ ପଚାରିଥିଲେ ଯେ, ମିଶନଶକ୍ତି କିଏ କରିଛି ? ମମତା ଯୋଜନାରେ ୧୦ ହଜାର ଟଙ୍କା କିଏ ଦଉଛି ? ବି.ଏସ୍‍.କେ.ୱାଇରେ ସ୍ୱାସ୍ଥ୍ୟ ସୁରକ୍ଷା କିଏ ଦଉଛି ? ମଧୁବାବୁ ପେନ୍‍ସନରେ ଭତ୍ତା କିଏ ଦଉଛି ? ଲକ୍ଷ୍ମୀ ବସରେ ମା’ମାନଙ୍କୁ ୫ ଟଙ୍କାରେ ଯାତାୟତ ସୁବିଧା କିଏ ଦଉଛି ? ଜନତା ଏକ ସ୍ୱରରେ ଉତ୍ତର ଦେଇଥିଲେ ଯେ, ନବୀନ ପଟ୍ଟନାୟକ। ନିଆଳିକୁ ଏନ୍‍.ଏ.ସି. କିଏ କରିଛନ୍ତି? ମାଧବାନନ୍ଦଜୀଉ ମନ୍ଦିରର ରୂପାନ୍ତର ପାଇଁ ୫ କୋଟି ଟଙ୍କା କିଏ ଦେଇଛି? ନିଆଳି ଅଞ୍ଚଳର ମଠ, ମନ୍ଦିର, ଚର୍ଚ୍ଚ, ମସ୍‍ଜିଦ୍‍ ଆଦି ପୂଜାସ୍ଥଳର ରୂପାନ୍ତର କିଏ କରିଛି ବୋଲି ପାଣ୍ଡିଆନଙ୍କ ପ୍ରଶ୍ନର ଉତ୍ତରରେ ମଧ୍ୟ ନବୀନ ପଟ୍ଟନାୟକ ବୋଲି ସାଧାରଣ ଜନତା କହିଥିଲେ।

ପାଣ୍ଡିଆନ ଆହୁରି ମଧ୍ୟ କହିଥିଲେ ଯେ, ସମସ୍ତେ ଜାଣିଛନ୍ତି ସାରା ଓଡ଼ିଶା ଏକ ସ୍ୱରରେ କହୁଛି ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ପ୍ରଥମ ଦସ୍ତଖତରେ ଆପଣମାନଙ୍କର, ୯୦ ପ୍ରତିଶତ ଲୋକଙ୍କର ବିଜୁଳି ବିଲ୍‍ ଛାଡ଼ କରିବେ। ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବି.ଏସ୍‍.କେ.ୱାଇ କାର୍ଡ ଦେବେ। ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ ଦେବେ, ମା’ମାନଙ୍କ ଅନୁରୋଧକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ରକ୍ଷା କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ଉଜ୍ୱଳ ଭବିଷ୍ୟତ ଲାଗି ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି। ବିରୋଧୀ ଦଳ ମିଛ କଥା କହି, ଅପପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି। ଆପଣମାନେ ତା’ର ଜବାବ ଦିଅନ୍ତୁ। ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ୭୦ ହଜାର ମାର୍ଜିନରେ ଜିତାନ୍ତୁ।