ବିଜେଡ଼ିରେ ଯୋଗଦେଲେ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଡ. ପ୍ରଦୀପ କୁମାର ନାୟକ

ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ପ୍ରଦୀପ ନାୟକ।

ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ୱର, ୨୩/୦୫: ଭଦ୍ରକ ନିର୍ବାଚନ ମଣ୍ଡଳୀର ୨୦୧୯ ସାଧାରଣ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ଡ. ପ୍ରଦୀପ କୁମାର ନାୟକ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ଡ. ପ୍ରଦୀପ କୁମାର ନାୟକଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ଡ. ପ୍ରଦୀପ କୁମାର ନାୟକଙ୍କ ଯୋଗଦାନ ଫଳରେ ବିଶେଷକରି ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଡ. ପ୍ରଦୀପ କୁମାର ନାୟକ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।