ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଓଡିଶା ବିଜେପିକୁ ଶୋଭା ପାଉନି: ପ୍ରଣବ

•ଧର୍ମେନ୍ଦ୍ର ପ୍ରଧାନ ଅପମାନସୂଚକ ଶବ୍ଦ ପ୍ରୟୋଗ କରୁଛନ୍ତି। •ପ୍ରସଙ୍ଗ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ କଥା କହୁଛି ବିଜେପି।

ଏଭଳି ଶବ୍ଦ ଓଡିଶା ସଂସ୍କୃତିର ପରିପନ୍ଥୀ

ଭୁବନେଶ୍ୱର, ୨୩/୦୫: ଗତ ୨୪ ବର୍ଷ ହେଲା ସାଢ଼େ ୪ କୋଟି ଓଡ଼ିଶାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଆସୁଛନ୍ତି । ଓଡ଼ିଶାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭାରି ଭଲ ପାଆନ୍ତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନିଜ ପରିବାର ସଦସ୍ୟ ଭଳି ଭାବି କାର୍ଯ୍ୟ କରିଥାନ୍ତି ବୋଲି ଟୁଇଟ କରି କହିଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ।
ଶ୍ରୀ ଦାସ କହିଛନ୍ତି ଯେ ବାହାର ରାଜ୍ୟରୁ ନେତାଙ୍କୁ ଆଣି ଓଡ଼ିଶାବାସୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଅପମାନସୂଚକ ମନ୍ତବ୍ୟ ଦେବା, ଅରୁଚିକର ଶବ୍ଦ ପ୍ରୟୋଗ କରିବା ଓଡ଼ିଶା ବିଜେପିକୁ ଆଦୌ ଶୋଭାପାଉନି । ନିଜେ ଧର୍ମେନ୍ଦ୍ର ପ୍ରଧାନ, ସେମାନଙ୍କ ସହ ମିଶି ସମାନ ଭାଷା ବ୍ୟବହାର କରିବା ଓଡ଼ିଶା ସଂସ୍କୃତି ବିରୋଧୀ । ଯେହେତୁ ବାହାରୁ ଆସୁଥିବା ନେତା ଆମ ଅତିଥି, ସେଥିପାଇଁ ଆମେ ବିଶେଷ କିଛି ପ୍ରତିକ୍ରିୟା ରଖୁନଥିଲୁ କାରଣ ବିଜେଡି ସବୁବେଳେ ଓଡିଶାର ସଂସ୍କୃତିକୁ ପାଳନ କରେ ।
ଗତ ୧୦ ବର୍ଷ ହେଲା ଆମେ ଦେଖି ଆସୁଛୁ, ଓଡ଼ିଶା ବିଜେପି ନେତା ସବୁବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମନ୍ତବ୍ୟ ଦେଇ ଆସୁଛନ୍ତି । କାରଣ ସେମାନଙ୍କ ନିକଟରେ ଆଉ କିଛି ପ୍ରସଙ୍ଗ ନାହିଁ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପକୁ ବିରୋଧ କରିଥିବା ଧର୍ମେନ୍ଦ୍ର ପ୍ରଧାନ କେବେ ମଧ୍ୟ ଏନଏଚ୍‌-୫୫ କାମ କିଭଳି ଶୀଘ୍ର ସରିବ ସେନେଇ ତତ୍ପରତା ଦେଖାଇନାହାନ୍ତି । ଯେଉଁଥିପାଇଁ ହଜାର ହଜାର ଲୋକଙ୍କ ଜୀବନ ଯାଇଛି । ମହାନଦୀ ପ୍ରସଙ୍ଗରେ ଧର୍ମେନ୍ଦ୍ର ବାବୁ ଛତିଶଗଡ଼ ପାଇଁ କରିଥିବା ଓକିଲାତି କାହାକୁ ଅଛପା ନାହିଁ । ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସମ୍ୱଲପୁର ସଭାରେ ପଚାରିଥିବା ପ୍ରଶ୍ନର ଗୋଟିଏ ବି ଉତ୍ତର ଦେଇପାରିଲେନି ଧର୍ମେନ୍ଦ୍ର ବାବୁ । କାରଣ ସେ ଗତ ୧୦ ବର୍ଷ ମଧ୍ୟରେ କିଛି ବି କାମ କରିନାହାନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ମିଛ ପ୍ରଚାର ହେଉ ଅବା ଓଡ଼ିଶାର ବିକାଶକୁ ବିରୋଧ କରିବାର ମାନସିକତା, ବିଜେପିର ମିଛକୁ ଓଡ଼ିଶାବାସୀ ଭଲ ଭାବେ ଜାଣି ସାରିଲେଣି । ଏଭଳି ଡାହା ମିଛକୁ ସେମାନେ ଆଦୌ ଗ୍ରହଣ କରୁନାହାନ୍ତି । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ତିନି ଚତୁର୍ଥାଂଶ ଆସନ ସହ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ବାବୁ ଶପଥ ନେବେ ବୋଲି ଶ୍ରୀ ଦାସ କହିଛନ୍ତି ।