ସାଢ଼େ ଚାରିକୋଟି ଓଡ଼ିଆ ଲୋକଙ୍କ ମତକୁ ବିଜେଡି ହାଇଜ୍ୟାକ କରିବାର ଯୋଜନା କରୁଛି: ସଜ୍ଜନ ଶର୍ମା

• ବିଜୁଳି ଉତ୍ପାଦନ ଓ ବିକ୍ରୟର ସୁବିଧା ପ୍ରଦାନ କରୁଛି “ପିଏମ୍ ସୂର୍ଯ୍ୟଘର” ଯୋଜନା • ସ୍ୱଚ୍ଛଳ ଓ ସବଳ ମାତୃଶକ୍ତି ଗଠନ ପାଇଁ ‘ସୁଭଦ୍ରା’ ଯୋଜନାରେ ମିଳିବ ୫୦ହଜାର ଟଙ୍କା

ଓଡ଼ିଶାକୁ ମାଫିଆରାଜରୁ ମୁକ୍ତ କରାଯାଉ

ଭୁବନେଶ୍ୱର,୨୪/୦୫: ବିଗତ ଦିନରେ ଓଡ଼ିଶାର ଗଣତାନ୍ତ୍ରିକ ଆନ୍ଦୋଳନର ମୁଖ୍ୟ ରାଜନୈତିକ ସଂଗଠନ ଥିଲା ବିଜେଡି । ଏହାର ରାଜନୈତିକ ବ୍ୟାପାର କମିଟି, ରାଜ୍ୟ କାର୍ଯ୍ୟନିର୍ବାହୀ ଓ ପାଲ୍ୟାମେଂଟାରୀ ବୋର୍ଡ ହିଁ ଦଳର ପ୍ରାଥୀ କିଏ ହେବ ସ୍ଥିର କରେ । ବିଜେଡିର ପୁରୁଣା ନେତାଙ୍କୁ ପଚାରିଲେ ପାଲ୍ୟାମେଂଟାରୀ ବୋର୍ଡର କିଏ ସଦସ୍ୟ ଅଛନ୍ତି ତାହା ତାଙ୍କୁ ଜଣାନାହିଁ । ତାଙ୍କର ବୈଠକ ହେଲା କି ନାହିଁ ? ବୈଠକରେ କ’ଣ ନିଷ୍ପତି ହେଲା ତାହା ମଧ୍ୟ ବିଜେଡି ନେତାମାନେ ଅନଭିଜ୍ଞ । ଏପରିକି ପାଲ୍ୟାମେଂଟାରୀ ବୋର୍ଡ ନିଷ୍ପତି କାର୍ଯ୍ୟକାରି ହେଉଛି କି ନାହିଁ ତାହା ବି ଜାଣନ୍ତି ନାହିଁ । ଏହାଛଡା ଓଡିଶାର କ୍ୟାବିନେଟ୍ ବସୁଛି କି ନାହିଁ, ପୂର୍ବରୁ କ୍ୟାବିନେଟ୍ ମନ୍ତ୍ରୀଙ୍କ ପାଖରେ ଚିଠା ପହଂଚୁଛି କି ନାହିଁ, ସେମାନେ ଯୋଗ ଦେଉଛନ୍ତି କି ନାହିଁ ତାହା ବି ବିଜେଡି ନେତାଙ୍କୁ ଜଣାନାହିଁ । ବିଜେଡିର ଆଭିମୁଖ୍ୟ ଓ ଭାବାବେଗ, ଆବଶ୍ୟକତା ବାସ୍ତବରେ କେଉଁଠି ବନ୍ଧା ପଡିଛି ତାହା ସାରା ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । ବିଜେଡି ଦଳରେ ମାତ୍ର ୨ଟି ଲୋକ ଦେଖାଯାଉଛନ୍ତି । ପ୍ରଶାସନର ଉପର ଠୁ ତଳ ପର୍ଯ୍ୟନ୍ତ ପିସି ଓ ଭ୍ରଷ୍ଟାଚାର ଚାଲିଛି । ଓଡିଶାରେ ମାଫିଆ ରାଜ୍ ଚାଲିଛି । ଏହାକୁ ବାହାରୁ ଆସୁଥିବା ଲୋକମାନେ ବି ଅନୁଭବ କରିପାରୁଛନ୍ତି । ଏନେଇ ବିଜେଡି କବଳରୁ ଓଡ଼ିଶାକୁ ମୁକୁଳାଇବାକୁ ଓଡ଼ିଶାର ଜନସାଧାରଣ ଓ ଭୋଟରମାନଙ୍କୁ ବିଜେପି ନିବେଦନ କରୁଛି । ଓଡ଼ିଶା ମୁକୁଳିଲେ ବିକଶିତ ଓଡ଼ିଶା ଗଠନ ସମ୍ଭବ ହେବ । ଏହା ହିଁ ମୋଦି ଗ୍ୟାରେଂଟି । ଯେଉଁଠି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଓଡ଼ିଶାର ବିକାଶ ଅଟକିଯାଉଛି ତାକୁ ଗତିଶୀଳ କରିବା ମୋଦି ଗ୍ୟାରେଂଟି ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା କହିଛନ୍ତି ଯେ, ବିଜେଡି ସରକାର ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ବିଭ୍ରାନ୍ତ କରୁଛି । ବିଜେଡି ନେତାମାନେ ଅପପ୍ରଚାର କରୁଛନ୍ତି ଯେ, ବିଜେପି ସରକାରକୁ ଆସିଲେ ବିଏସ୍‌କେୱାର ବନ୍ଦ ହୋଇଯିବ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବନ୍ଦ ହୋଇଯିବ । ମାତ୍ର ଏସବୁ ଭ୍ରାନ୍ତ ଧାରଣାରୁ ଦୂରେଇ ରହିବାକୁ ଓଡ଼ିଶାବାସୀଙ୍କୁ ବିଜେପି ନିବେଦନ କରୁଛି । ବିଜେପି ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଆମ ଦଳ ସରକାର ଗଢ଼ିଲେ କୌଣସି ଯୋଜନା ବନ୍ଦ ହେବ ନାହିଁ ବରଂ ସମୃଦ୍ଧ ହେବ । ଅପରପକ୍ଷେ ଓଡ଼ିଶାର ଲୋକେ ଆୟୁଷ୍ମାନ ଭାରତର ଯୋଜନାର ଲାଭ ପାଇବେ, ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକର ଅଧିକ ଉନ୍ନତ ହେବ, ମହିଳାମାନେ ସ୍ୱାବଲମ୍ବୀ ହେବେ । ବିଜେପି ସର୍ବଦା ବିକାଶରେ ବିଶ୍ୱାସ କରେ । ବିଜେପି ସରକାର ତରଫରୁ ପିଏମ୍ ସୂର୍ଯ୍ୟଘର ଯୋଜନାରେ ଉପଭୋକ୍ତାମାନଙ୍କ ବିଜୁଳି ଛାଡ ହେବା ସହ ରୋଜଗାର ମଧ୍ୟ ବଢ଼ିବ । ସେମାନଙ୍କୁ ବିଲ୍ ଦେବାକୁ ପଡିବନି । ଗାଁ ରୁ ସହର ସମସ୍ତେ ସୂର୍ଯ୍ୟଘର ଯୋଜନାର ଲାଭ ପାଇପାରିବେ । ବିଦ୍ୟୁତ ବିଲ୍ ପାଇଁ ଟଙ୍କା ଖର୍ଚ୍ଚ ହେବନି ବରଂ ରୋଜଗାର ହେବ । ଏହି ସୂର୍ଯ୍ୟଘର ଯୋଜନାରେ ଏ ପର୍ଯ୍ୟନ୍ତ ୧କୋଟିରୁ ଅଧିକ ଲୋକ ପଞ୍ଜୀକରଣ କରିଛନ୍ତି । ବିଜେପିର ବିଭିନ୍ନ ଯୋଜନାକୁ ବିଜେଡି ପୂର୍ବରୁ କପି ପେଷ୍ଟ କରିଥିବାବେଳେ ଏବେ ସୂର୍ଯ୍ୟଘର ଯୋଜନାକୁ ମଧ୍ୟ କପି କରିଛି । ପିଏମ୍ ସୂର୍ଯ୍ୟଘର ଯୋଜନା ଆସିବା ପରେ ଦେଖି ବିଜେଡି ଜୁଲାଇ ମାସରୁ ମାଗଣା ବିଜୁଳି ଘୋଷଣା କରିଛି । ସେହିପରି ମା’ମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ବିଜେପି “ସୁଭଦ୍ରା ଯୋଜନା” ଘୋଷଣା କରିଛି । ଏହି ଯୋଜନାରେ ମା’ମାନେ ୨ବର୍ଷ ଭିତରେ ନିଜ ଇଛା ଅନୁସାରେ ୫୦ହଜାର ଟଙ୍କାର ଭାଉଚରକୁ ଖର୍ଚ୍ଚ କରିପାରିବେ । ବିଜେପି ସରକାରକୁ ଆସିଲେ ଚାଷୀଙ୍କ ଆୟ ଦିଗୁଣିତ କରିବା ସହ ଶୀତଳଭଣ୍ଡାର, ମଣ୍ଡିର ବ୍ୟବସ୍ଥା କରିବ । ଏଥିସହ ଚାଷୀଙ୍କ ଧାନର ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୩୧ଶହ ଟଙ୍କା କରିବ । ଏହି ଟଙ୍କା ୨ଦିନରେ ଚାଷୀଙ୍କ ବ୍ୟାଙ୍କ ଆକାଉଂଟରେ ପଂହଚିଯିବ । ଏଥିସହ ଯୁବକଙ୍କୁ ରୋଜଗାର ଦିଆଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଓଡ଼ିଶାରେ ପଛୁଆ ଶ୍ରେଣୀ ବା ଓବିସି ୫୪ପ୍ରତିଶତ ରହିଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କୁ ଅବହେଳା କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଯେଉଁ ଆଇନ ପାରିତ ହୋଇଛି ସେ ଆଇନର ୨୭% ସଂରକ୍ଷଣ ଦିଆଯାଇଛି । ମାତ୍ର ସେଥିରୁ ରାଜ୍ୟ ସରକାର ଓଡିଶାବାସୀଙ୍କୁ ବଂଚିତ କରିଛନ୍ତି । କେନ୍ଦ୍ର ସରକାର ୨୦୧୯ରେ ଆର୍ôଥକ ଦୃଷ୍ଟିରୁ ଯେଉଁମାନେ ଦୁର୍ବଳ ଅଛନ୍ତି ଇଡବ୍ଲ୍ୟୁଏସ୍ ପାଇଁ ୧୦% ରିଜରଭେସନ ରଖିଛନ୍ତି । କିନ୍ତୁ ଓଡିଶା ସରକାର ନଦେଇ ବାଧା ହୋଇଛନ୍ତି । ଜନବିରୋଧୀ ସରକାର ଏବେ ମାଫିଆ ରାଜ୍‌ରେ ପରିରଣ ହୋଇଛି । ଓଡିଶାରୁ ବିଜେଡିକୁ ବିତାଡିତ କରିବାର ଆବଶ୍ୟକତା ଅଛି । ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଓଡ଼ିଶାବାସୀ ପୀଡିତ ହୋଇଛନ୍ତି ତାହାର ଜବାବ ଭୋଟ ମାଧ୍ୟମରେ ବିଜେଡିକୁ ଦେବେ ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଆର୍ଥିକ ଅନଗ୍ରସର ବର୍ଗର ରାଜ୍ୟ ସଂଯୋଜକ କୁଳମଣି ମିଶ୍ର, ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ବିବେକାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।