ଗିରଫ ହେବେ କି ପ୍ରଶାନ୍ତ ଜଗଦେବ?

ବିଜେପିର ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗି ଫେରାର ହୋଇ ଯାଉଥିବା ବେଳେ ଧରିଛି ପୋଲିସ।

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ନିକଟରେ ବିଜେଡିର ଅଭିଯୋଗ

ଭୁବନେଶ୍ବର, ୨୫/୦୫: ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ଗୁଣ୍ଡାଗର୍ଦ୍ଦି। ଅସହ୍ୟ ଜନତା, ଅସହ୍ୟ ପ୍ରୀଜାଇଡିଂ ଅଫିସର। ପ୍ରଶାନ୍ତ ଜଗଦେବଙ୍କ ପୂର୍ବରୁ ଅପରାଧିକ ରେକର୍ଡ ରହିଥିବା ବେଳେ ଆଜି ନିର୍ବାଚନ ସମୟରେ ବି କୌଣସି କଷଣ ଛାଡି ନାହାନ୍ତି। ପ୍ରଥମେ ଭୋଟ୍ ଦେବା ପାଇଁ ଅଡି ବସି ନିଶାସକ୍ତ ଅବସ୍ଥାରେ କରିଛନ୍ତି ଗଣ୍ଡଗୋଳ। ବେଗୁନିଆ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ କରିଛନ୍ତି ଭଙ୍ଗାରୁଜା। ଭୋଟିଂ ବେଳେ ଇଭିଏମ୍ ଭାଙ୍ଗି ଫେରାର ହୋଇ ଯାଉଥିବା ବେଳେ ଧରିଛି ପୋଲିସ। ଇଭିଏମ୍ ଭାଙ୍ଗିବା ସହ ପ୍ରୀଜାଇଡିଂ ଅଫିସରଙ୍କୁ ମଧ୍ୟ ମାଡ ମାରିଛନ୍ତି। ଅପରାଜିତାଙ୍କ ଗାଡିରେ ଫେରାର ହେଉଥିଲେ ପ୍ରଶାନ୍ତ ଜଗଦେବ। ପୋଲିସ୍ ପ୍ରଶାନ୍ତ ଜଗଦେବଙ୍କୁ ଧରି ବୋଲଗଡ଼ ଥାନାରେ ଅଟକ ରଖିଛି।

ଏ ସଂକ୍ରାନ୍ତରେ ମୁହଁ ଖୋଲିଛି ବିଜୁ ଜନତା ଦଳ। ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଏକ ଟିମ୍ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ନିକଟରେ ପ୍ରଶାନ୍ତ ଜଗଦେବଙ୍କ ଗିରଫ ଦାବି କରି ଫେରାଦ ହୋଇଛି। ସସ୍ମିତ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ବିଜେଡି ପୂର୍ବରୁ ପ୍ରଶାନ୍ତଙ୍କ ଗୁଣ୍ଡାଗର୍ଦ୍ଦି ନେଇ ସତର୍କ କରାଇଥିଲା। ବାରମ୍ବାର ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା। ହେଲେ, ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନଥିଲା। ଆଜି ଏଭଳି ଘଟଣା ପରେ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ପ୍ରଶାନ୍ତଙ୍କୁ ସମର୍ଥନ କରି ଫେରାର ହେବା ପାଇଁ ସାହାଯ୍ୟ କରିଥିଲେ। ଯାହା ଆମ ଓଡ଼ିଶାର ସଂସ୍କୃତି ବାହାରେ।” ତେବେ ପ୍ରଶାନ୍ତ ଜଗଦେବଙ୍କ ସହ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟନୁଷ୍ଠାନ ନେବା ପାଇଁ ବିଜେଡ଼ି ଦାବି କରିଛି। ଏବେ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀ ପାଇଁ ସବୁଠି ଦାବି ହେଉଥିବା ବେଳେ ତାଙ୍କୁ ଗିରଫ କରାଯିବ କି ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।