ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସୁଛନ୍ତି ହେଭି-ୱେଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସାଂସଦ ରାହୁଲ ଗାନ୍ଧି ଓଡ଼ିଶା ଆସିବେ।

ଶେଷ ପର୍ଯ୍ୟାୟରେ ହେବ କଡା ଟକ୍କର

ଭୁବନେଶ୍ବର, ୨୬/୦୫: ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ତଥା ଦେଶର ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ରାଜନୀତି ସରଗରମ। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ନିଜ ନିଜ ଦଳର ବିଜୟଲାଭ ନେଇ ଦୃଢୋକ୍ତି ପ୍ରକାଶ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏବେ ନିର୍ବାଚନରେ ଶେଷ ସ୍ପର୍ଶ ଦେବା ପାଇଁ ହେଭି-ୱେଟ ବି ପ୍ରସ୍ତୁତ। ଓଡ଼ିଶାରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆସନ ହାତେଇବା ପାଇଁ କୌଣସି ମୁହୁର୍ତ୍ତ ବି ହାତଛଡା କରୁନାହାନ୍ତି। ବିଭିନ୍ନ ଦଳର ଶୀର୍ଷ ନେତୃତ୍ୱ ଭୋଟରଙ୍କୁ ମନେଇବାକୁ ବ୍ୟସ୍ତ।

ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ଜୁନ ୧ରେ ହେବାକୁ ଥିବା ବେଳେ ପ୍ରଚାର କରିବାକୁ ଆସିବେ ଜାତୀୟ ଦଳର ହାଇକମାଣ୍ଡ ନେତା। ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣି ଥରେ ଓଡିଶା ଗସ୍ତରେ ଆସିବେ। ଆସନ୍ତା ୨୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବାରିପଦାରେ ଏକ ବିଶାଳ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ଏହାପରେ ସେ କେନ୍ଦ୍ରାପଡ଼ାରେ ଆଉ ଏକ ସମାବେଶକୁ ସମ୍ବୋଧିତ କରିବେ। ସେହିଭଳି ଆସନ୍ତା ୨୮ ତାରିଖରେ ଅମିତ ଶାହ ମଧ୍ୟ ଓଡ଼ିଶା ଆସିବେ। ଓଡ଼ିଶାରେ ଚାନ୍ଦବାଲି, କୋରେଇ ଓ ନିମାପଡ଼ା ୩ଟି ଜନସଭାକୁ ସମ୍ବୋଧିତ କରିବେ।

ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସାଂସଦ ରାହୁଲ ଗାନ୍ଧୀ। ଆସନ୍ତା ୨୯ରେ ଓଡିଶା ଆସିବେ ଖଡଗେ। ୨୯ ତାରିଖ ଦିନ ୧୧ଟାରେ ବାଲେଶ୍ୱର ଏବଂ ଚାନ୍ଦବାଲିରେ ଦିନ ୩ଟାରେ ଏକ ଜନସମାବେଶକୁ ସମ୍ବୋଧିତ କରିବେ ଖଡଗେ। ସେହିପରି ଆସନ୍ତା ୩୦ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ସେହି ଦିନ ସକାଳ ୧୧ଟାରେ ସିମୁଳିଆ ସାନମହିତପୁରରେ ଏକ ଜନସମାବେଶରେ ଯୋଗ ଦେବେ ରାହୁଲ।