ଓଡ଼ିଶାରେ ବିଜୁଳି ଦର ଅଧିକ ବୋଲି ବିଜେପି ନେତୃତ୍ୱଙ୍କ ଦାବିକୁ ବିଜେଡିର ଦୃଢ଼ ଖଣ୍ଡନ

ବିଜେପି ଶୀର୍ଷ ନେତୃତ୍ୱ ଜାଣିଶୁଣି ନିର୍ବାଚନୀ ସଭାରେ ଭୁଲ୍ ତଥ୍ୟ ପ୍ରଦାନ କରୁଛନ୍ତି

ବିଜେପି ଶାସିତ ରାଜ୍ୟଠୁ ଓଡ଼ିଶାରେ ବିଜୁଳି ଦର କମ

ଭୁବନେଶ୍ୱର, ୨୬/୦୫/୨୦୨୪: ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଜାତୀୟ ମୁଖପାତ୍ର ଡ଼ଃ ସଂତୃପ୍ତ ମିଶ୍ର ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱଙ୍କ ଦ୍ୱାରା ଓଡିଶାରୁ ତାମିଲନାଡୁକୁ ଶସ୍ତାରେ ବିଜୁଳି ଯୋଗାଣର ଅଭିଯୋଗକୁ ଦୃଢ଼ ଖଣ୍ଡନ କରିଥିଲେ । ଏହି ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ରାଜ୍ୟସଭା ସାଂସଦ ତଥା ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଓଡ଼ିଶାର ବିଜୁଳି ଦର ବିଜେପି ଶାସିତ ରାଜ୍ୟ ମାନଙ୍କ ବିଜୁଳି ଦର ଠାରୁ କମ ବୋଲି କହିବା ସହିତ ଡ଼ଃ ସଂତୃପ୍ତ ମିଶ୍ର ବିଭିନ୍ନ ରାଜ୍ୟର ତୁଳନାତ୍ମକ ବିଜୁଳି ଦର ପ୍ରଦାନ କରିଥିଲେ । ବିଜେପିର ଶୀର୍ଷ ନେତୃତ୍ୱ ଏହି ମିଥ୍ୟା ତଥ୍ୟ ଉଦେଶ୍ୟମୂଳକ ଭାବେ ପରିବେଷଣ କରି ଓଡିଶାବାସୀଙ୍କୁ ଭୁଆଁ ବୁଲାଇ କିଛି ଭୋଟ ହାତେଇବାକୁ ପ୍ରୟାସ କରୁଛନ୍ତି ବୋଲି ପାଲଟା ଅଭିଯୋଗ କରିଥିଲେ ।

ଡ଼ଃ ମିଶ୍ର କହିଥିଲେ, ଓଡ଼ିଶାରେ ବିଜୁଳି ଉତ୍ପାଦନ ମୁଖ୍ୟତଃ ପବ୍ଲିକ ସେକ୍ଟର ଅଣ୍ଡରଟେକିଙ୍ଗ ସଂସ୍ଥା ଯଥା ଏନଟିପିସି ଦ୍ୱାରା କରାଯାଇଥାଏ । ଭାରତ ସରକାରଙ୍କ ନିୟମ ଅନୁଯାୟୀ ରାଜ୍ୟରେ ଉତ୍ପାଦିତ ହେଉଥିବା ବିଜୁଳି ମଧ୍ୟରୁ ବଳକା ବିଜୁଳି ଜାତୀୟ ଗ୍ରୀଡ଼କୁ ପ୍ରଦାନ କରା ଯାଇଥାଏ ଓ ସେଣ୍ଟ୍ରାଲ ଇଲେକଟ୍ରିସିଟି ରେଗୁଲେଟରୀ କମିସନ (ସି.ଇ.ଆର.ସି) ଏହାକୁ ବିଭିନ୍ନ ବିଦ୍ୟୁତ ନିଅଣ୍ଟ ରାଜ୍ୟକୁ ସେମାନଙ୍କ ଚାହିଦା ଅନୁଯାୟୀ ପ୍ରଦାନ କରିଥାଏ । ଏହି ସଂସ୍ଥା ଦ୍ୱାରା ବିଦ୍ୟୁତ ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ କରା ଯାଇଥାଏ । ଓଡ଼ିଶାରେ ଏନଟିପିସି ମାଧ୍ୟମରେ ପ୍ରାୟ ୪୬୦୦ ୟୁନିଟ ବିଜୁଳି ଉତ୍ପାଦନ ହେଉଥିବା ବେଳେ, ଓଡ଼ିଶାକୁ ମାତ୍ର ୧୩୫୮ ୟୁନିଟ ବିଜୁଳି ମିଳିଥାଏ ଓ ବଳକା ବିଜୁଳି ସିଇଆରସି ମାଧ୍ୟମରେ ଅନ୍ୟ ରାଜ୍ୟମାନଙ୍କୁ ପ୍ରଦାନ କରା ଯାଇଥାଏ । କେଉଁ ରାଜ୍ୟକୁ କେତେ
ବିଜୁଳି ଦିଆଯିବ ଓ ଏହାର ୟୁନିଟ ପିଛା ମୂଲ୍ୟ କେତେ ରହିବ ତାହା ସିଇଆରସି ଦ୍ୱାରା ନିର୍ଦ୍ଧାରଣ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ, ବିଜେପିର ଶୀର୍ଷ ନେତୃତ୍ୱଙ୍କ କରାଯାଇଥିବା ଅଭିଯୋଗ ଯଥା, ଓଡିଶା ଦ୍ୱାରା ତାମିଲନାଡୁକୁ ଶସ୍ତା ଦରରେ ବିଜୁଳି ଯୋଗାଣ, କେବଳ ମିଥ୍ୟା ଓ କପୋଳକଳ୍ପିତ ନୁହେଁ ବରଂ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ । ଜାଣି ଶୁଣି ନିର୍ବାଚନୀ ସଭାରେ ଏପରି ମିଥ୍ୟା ତଥ୍ୟ ପ୍ରଦାନ କରି କିଛି ଭୋଟ ହାତେଇବାର ସେମାନଙ୍କର ଉଦ୍ଦେଶ୍ୟ ବୋଲି ଏଥିରୁ ସ୍ପଷ୍ଟ ଅନୁମେୟ ।

ଡ଼ଃ ମିଶ୍ର ଆହୁରି କହିଥିଲେ ଯେ, ଓଡ଼ିଶାରେ ଲାଗୁ ହୋଇଥିବା ବିଜୁଳି ଦର ବିଜେପି ଶାସିତ ରାଜ୍ୟମାନଙ୍କତୁଳନାରେ କମ । ଓଡିଶାରେ ପ୍ରତି ୟୁନିଟ ବିଜୁଳି ୪ ଟଙ୍କା ୬୨ ପଇସାରେ ମିଳୁଥିବା ବେଳେ ମଧ୍ୟପ୍ରଦେଶରେ ଏହା ୫ ଟଙ୍କା ୭୩ ପଇସାରେ, ଆସାମରେ ଏହା ୭ ଟଙ୍କା ୮୦ ପଇସାରେ, ରାଜସ୍ଥାନରେ ଏହା ୮ ଟଙ୍କା ୩୮ ପଇସାରେ, ବିହାରରେ ଏହା ୯ ଟଙ୍କା ୮୭ ପଇସାରେ, ମହାରାଷ୍ଟ୍ରରେ ଏହା ୬ ଟଙ୍କା ୭୪ ପଇସାରେ ଓ ଉତ୍ତରପ୍ରଦେଶରେ ଏହା ୯ ଟଙ୍କା ୮୮ ପଇସାରେ ମିଳୁଛି । ଓଡିଶା ସରକାରଙ୍କ ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାରେ ଦ୍ରୁତ ଗତିରେ ଶିଳ୍ପାୟନ ହେଉଥିବାରୁ ଓଡ଼ିଶାର ବିଜୁଳି ଆବଶ୍ୟକତା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ପରିପ୍ରେକ୍ଷୀରେ, ଓଡ଼ିଶାର ବର୍ଦ୍ଧିତ ବିଜୁଳି ଆବଶ୍ୟକତାକୁ ପୂରଣ କରିବା ପାଇଁ ଓଡିଶା ସରକାର କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ନିକଟରେ ଦାବି ଜଣାଇ ଆସୁଛନ୍ତି । ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଉତ୍ପାଦିତ ହେଉଥିବା ବିଜୁଳି ଓ ଏଥିରେ ବ୍ୟବହାର ହେଉଥିବା କୋଇଲା ଉତ୍ପାଦନ ସମୟରେ ଓଡ଼ିଶାର ପରିବେଶ ପ୍ରଦୂଷିତ ହେଉଥିବାରୁ, ଉତ୍ପାଦିତ ହେଉଥିବା ବିଜୁଳି ଉପରେ ଓଡ଼ିଶାର ଅଧିକାର ରହିଛି ବୋଲି, କେନ୍ଦ୍ରକୁ ଦିଆଯାଇଥିବା ଚିଠିରେ ଓଡିଶା ତରଫରୁ ଉଲ୍ଲେଖ କରାଯାଇଛି ।