ବାଘଛାଲ ଜବତ୍, ଅଭିଯୁକ୍ତ ଗିରଫ

ଏକ କଲରାପତରିଆ ବାଘ ଛାଲକୁ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ବାଘ ଛାଲ ଓ ନଖ ବିକ୍ରି କାରବାରରେ ଲିପ୍ତ ଅଭିଯୋଗ

ନୂଆପଡ଼ା,୨୬/୦୫: ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ବିଭାଗ ଅଧିନସ୍ତ ସାନମହେଶ୍ୱର୍ ସେକ୍ସନ ହରିପୁର ଗ୍ରାମ ଠାରେ ବିଶେଷ ସୂତ୍ରରୁ ବନ ବିଭାଗ ଖବର ପାଇ ଏକ କଲରାପତରିଆ ବାଘ ଛାଲକୁ ବିକ୍ରି ପାଇଁ ଗ୍ରାହକ ସହ ମୂଲ୍ୟ ନିର୍ଦ୍ଧାରଣ କରୁଥିବା ବେଳେ ଘଟଣା ସ୍ଥଳରେ ଚଢାଉ କରି ବାଘ ଛାଲ ଜବତ୍ କରିଛନ୍ତି । ବାଘକୁ ମାରି ଛାଲ ଓ ନଖ ବିକ୍ରି କାରବାରରେ ଲିପ୍ତ ଥିବା ରମେଶ ମାଝି, ପବିତ୍ର ମାଝୀ, ଯଦୁ ପହରିଆ,ତୁଳସୀ ରାମ ପାରାଭୋଇ ଓ ଚ୍ଛିନୁ ପହରିଆଙ୍କୁ ଅଭିଯୁକ୍ତ ଭାବେ ଗିରଫ କରିଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ବାଘଟିକୁ ୪ ବର୍ଷ ହୋଇଥିବା ଅନୁମାନ କରାଯାଏ । ଘଟଣା ସ୍ଥଳରୁ ଦୁଇ ବାଇକ୍, ଚାରୋଟି ମୋବାଇଲ ଫୋନ ଜବତ ହୋଇଛି। ଆଜି ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କଲରାପତରିଆ ବାଘକୁ ମାରି ଛାଲ ବିକ୍ରି କରାଯାଉଥିବା ପଡୋଶୀ ଛତିଶଗ଼ଡ଼ ଅଭୟାରଣ୍ୟରୁ ବନ ବିଭାଗକୁ ଖବର ମିଳିଥିଲା । ଖରୀଆର ଏ ସି ଏଫ୍ ମହମ୍ମଦ ସାଲିହା, ରେଞ୍ଜର ସଂସ୍କୃତି ବଡ଼ ନାଏକ, ଫରେଷ୍ଟର ଧର୍ମେନ୍ଦ୍ର ନାଏକ, କନ୍ଦର୍ପ ସୁନାନୀ, ମିତାରାଣି ସାହୁ, ନରେଶ ଦଣ୍ଡସେନା ସହ ବହୁ କର୍ମଚାରୀ ଅଭିଯୁକ୍ତକୁ ଧରିବାରେ ସହଯୋଗ କରିଥିଲେ।ଠିକ୍ ଏହି ଭଳି ଗତ ବର୍ଷ ଅକ୍ଟୋବର ମାସରେ ମଧ୍ୟ ବୋଡ଼େନ ବ୍ଲକର ସୁନାପୁର ଠାରେ ଉଭୟ ଛତିଶ ଗଡ଼ ଓ ଖରୀଆର ବନ ବିଭାଗ ନିଜର କୌଶଳ କ୍ରମେ ବାଘ ଛାଲ ବିକ୍ରି ସମୟରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଆଉ ଏହି ଘଟଣାରେ ମଧ୍ୟ ଦୁଇ ଜଣ ଫେରାର ହୋଇଯାଇଥିବା ଜଣାଯାଏ।