ଧର୍ମେନ୍ଦ୍ରଙ୍କୁ ବବିଙ୍କ ଶାଣିତ ଆକ୍ରମଣ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

ଓଡ଼ିଶାର ସଂସ୍କୃତି ଅତ୍ୟନ୍ତ ଉଚ୍ଚକୋଟୀର

ଭୁବନେଶ୍ବର, ୨୬/୦୫: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସୋସିଆଲ ମିଡ଼ିଆ ସାଇଟ ଏକ୍ସରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡିଶାବାସୀଙ୍କ ଶାଳୀନତା ସଂକ୍ରାନ୍ତରେ ବୁଝାଇଛନ୍ତି। ପ୍ରଣବ ଲେଖିଛନ୍ତି, “ଓଡ଼ିଶାର ସଂସ୍କୃତି ଅତ୍ୟନ୍ତ ଉଚ୍ଚକୋଟୀର। ଜଣେ ବ୍ୟକ୍ତି ରାଜନୀତିରେ ଥାଆନ୍ତୁ କିମ୍ବା କୈାଣସି ବି କ୍ଷେତ୍ରରେ, ସଭିଏଁ ଏହି ସଂସ୍କୃତିକୁ ସମ୍ମାନ ଦେଇଥାନ୍ତି। ଅତ୍ୟନ୍ତ ଶାଳୀନତା ଓ ଭଦ୍ରାମୀର ସହ କଥା ହେବା ଓ ପ୍ରତିପକ୍ଷଙ୍କୁ ସମ୍ମାନ ଦେବା ହିଁ ଓଡ଼ିଆଙ୍କୁ, ଦେଶରେ ସମ୍ମାନସ୍ପଦ ପରିଚୟ ଦେଇଛି। ଓଡ଼ିଶା ରାଜନୈତିକ କ୍ଷେତ୍ରରେ ବି ଅତ୍ୟନ୍ତ ଉଚ୍ଚକୋଟୀର ଶାଳୀନତା ରହିଆସିଛି। ଯାହାକୁ ସବୁ ଦଳର ରାଜନେତା ପାଳନ କରିଆସିଛନ୍ତି। ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତି ଆପଣ ଯେଉଁଭଳି ଶାଳୀନତା ଭୁଲି ଅପମାନସୂଚକ ଶବ୍ଦ ପ୍ରୟୋଗ କରୁଛନ୍ତି, ଏହା କାହାକୁ ଆଶ୍ଚର୍ଯ୍ୟ କରୁନାହିଁ।”

ଉଲ୍ଲେଖଯୋଗ୍ୟ ଯେ, ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଜେଡି ପକ୍ଷରୁ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥି ହୋଇଥିବା ବେଳେ ବିଜେପି ପକ୍ଷରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ଅଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଅପମାନସୂଚକ ଶବ୍ଦ ବ୍ୟବହାର କରୁଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଉଛି।