ଜଗତସିଂହପୁରରେ ମୁଖ୍ୟମନ୍ତ୍ରୀଙ୍କ ଜୋରଦାର ପ୍ରଚାର

ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର।

ଅଧିକ ମାର୍ଜିନରେ ଜିତାଇଲେ କର୍ମୀଙ୍କୁ ମିଳିବ ପୁରସ୍କାର

ଜଗତସିଂହପୁର, ୨୭/୦୫: ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଚାର ସମୟରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ବି.ଏସ୍‍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀ ବସ୍, 5T ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, କାଳିଆ, ମଧୁବାବୁ ପେନ୍‍ସନ୍‍ ଯୋଜନା, ଚାଉଳ କାର୍ଡ ଆଦି କେମିତି ଲାଗୁଛି, ପୁରୀ ମନ୍ଦିର କାମ କେମିତି ଲାଗୁଛି ବୋଲି ପ୍ରଶ୍ନ କରିଥିଲେ। ସବୁ ପ୍ରଶ୍ନରେ ଉଚ୍ଛ୍ୱସିତ ସ୍ୱରରେ ଲୋକେ ବହୁତ ଭଲ ବୋଲି କହିଥିଲେ।

ସାରା ଭାରତବର୍ଷରେ ଏକ ନମ୍ୱର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାକୁ ବି ଏକ ନମ୍ୱର କରିବେ ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ। ବିଜେପିର ଆୟୁଷ୍ମାନ ଯୋଜନା ଲାଗୁ ହେଲେ ଓଡ଼ିଶାର ମାତ୍ର ୨ କୋଟି ପରିବାର ଏଥିରେ ସାମିଲ ହୋଇପାରିବେ, ଯାହା ଅଧା ଲୋକ ଉପକୃତ ହେବେ। ହେଲେ ବି.ଏସ୍‍.କେ.ୱାଇ ଯୋଜନାରେ ଓଡ଼ିଶାର ୯୮ ପ୍ରତିଶତ ଲୋକ ଉପକାର ପାଉଛନ୍ତି। ବିଜେପିର ମାଗଣା ବିଜୁଳି ପାଇବା ପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରି ସୋଲାର ପ୍ୟାନେଲ ବସାଇବାକୁ ପଡ଼ିବ। ସୂର୍ଯ୍ୟକିରଣରୁ ଆପଣମାନେ ବିଜୁଳି ପାଇବେ, ଦିନରେ ଲଣ୍ଠନ ଦେଖାଉଛି ବିଜେପି ଦଳ। ବିଜେପିର ମିଛ କଥାରେ ଜମା ପ୍ରଲୋଭିତ ହେବେ ନାହିଁ। ଅଧିକ ମାର୍ଜିନରେ ପ୍ରାର୍ଥୀମାନଙ୍କୁ ଜିତାଇଲେ କର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପୁରସ୍କାର ଦେବେ ବୋଲି କହିଲେ।