କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜୋରଦାର ନିର୍ବାଚନ ପ୍ରଚାର।

କହିଲେ ଦଳରେ ୧୦ ବର୍ଷ ରହି ବିଶ୍ୱାସଘାତକତା କଲେ

କେନ୍ଦ୍ରାପଡ଼ା, ୨୭/୦୫: କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ରାପଡ଼ାରୁ ମୁଁ ଜଣକୁ ୧୦ ବର୍ଷ ସାଂସଦ କରିଥିଲି। କିନ୍ତୁ ସେ କେବଳ ନିଜ ପାଇଁ ଓ ତାଙ୍କ କମ୍ପାନୀର ଲାଭ ପାଇଁ କାମ କଲେ। କେନ୍ଦ୍ରାପଡ଼ାବାସୀ ଓ ମୋ ସହିତ ବିଶ୍ୱାସଘାତକତା କଲେ। ବିରୋଧିଦଳ ନେତା ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

ସେହିପରି କାର୍ତ୍ତିକ ପାଣ୍ଡିଆନ ମଧ୍ୟ କେନ୍ଦ୍ରାପଡ଼ାବାସୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ବିଷୟରେ ବଖାଣିଛନ୍ତି। ପାଣ୍ଡିଆନ କହିଛନ୍ତି, ଭାରତବର୍ଷର ସବୁଠୁ ଅଧିକ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ପାଇଁ ଆଣିଛନ୍ତି। ଏଥିପାଇଁ ଜାପାନର ନିପନ କମ୍ପାନୀ ସହ କଥାବାର୍ତ୍ତା କରିବାକୁ ଯିବା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ବହୁତ କଷ୍ଟ ହୋଇଥିଲା। ସିଙ୍ଗାପୁରରୁ ଜାପାନ ଯିବା ସମୟରେ ଭଲ ସିଟ୍‍ ମିଳି ନ ଥିଲା ବିମାନରେ, ପରେ ଯିବା ପାଇଁ କହିଥିଲୁ। କିନ୍ତୁ ମୁଖ୍ୟମନ୍ତ୍ରୀ ରାଜି ହୋଇନଥିଲେ। ଯେହେତୁ ନିପନ ଗ୍ରୁପ୍‍ ସହିତ ଆପୋଏଣ୍ଟମେଣ୍ଟ ଥିଲା, ଅସୁବିଧା ସତ୍ତ୍ୱେ ୮ ଘଣ୍ଟା ଗୋଡ଼ ଜାକି କରି ଯାଇଥିଲେ। ଜାପାନରେ ଥିବା ବେଳେ ୩-୪ ଦିନ ଭିତରେ ପ୍ରାୟ ୧୦୦ ଥର କେନ୍ଦ୍ରାପଡ଼ା କଥା ଉଠାଇଥିବେ ମୁଖ୍ୟମନ୍ତ୍ରୀ। ଏଥିରୁ କେନ୍ଦ୍ରାପଡ଼ା ପ୍ରତି ତାଙ୍କର କେତେ ପ୍ରତିବଦ୍ଧତା ବେଶ୍ ଭଲ ଭାବରେ ଜାଣି ହେଉଛି। ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାର ବିଜେପି ସାଂସଦ ପ୍ରାର୍ଥୀକୁ ୨ ଥର ଲୋକସଭା ଓ ଥରେ ରାଜ୍ୟସଭାକୁ ପଠାଇଥିଲେ। ସାଂସଦ ହେବା ପରେ ତାଙ୍କର ପାରିବାରିକ କମ୍ପାନୀର ସ୍ଥିତି ବହୁତ ଲାଭ ହୋଇଛି। ସାଂସଦ ହେବା ପରେ ସେ ନିଜ ପାଇଁ ଲାଗିଲେ ଓ ନିଜ କମ୍ପାନୀର ଲାଭ ପାଇଁ ଲାଗିଲେ। କମ୍ପାନୀ ପାଇଁ ରେଲୱେ ସାଇଡ଼ିଂ ଆଣିଲେ କିନ୍ତୁ କେନ୍ଦ୍ରାପଡ଼ାକୁ ରେଲୱେ ଆଣିବାକୁ ଭୁଲିଗଲେ। ଫାଇନାନ୍ସ କମିଟିର ସଦସ୍ୟ ଭାବେ ନିଜ କମ୍ପାନୀର ହଜାର ହଜାର କୋଟି ଟଙ୍କାର ଲୋନ ଛାଡ଼୍‍ କଲେ। ସେ ଚାହୁଁଥିଲେ ଫାଇନାନ୍ସ କମିଟିର ଅଧ୍ୟକ୍ଷ ହେବାପାଇଁ। କିନ୍ତୁ ମୁଖ୍ୟମନ୍ତ୍ରୀ ଅନୁଭବ କଲେ ସେ ତାଙ୍କ ନିଜସ୍ୱ ଲାଭ ପାଇଁ ଏହା ଚାହୁଁଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେହିଦିନଠାରୁ ମୁଖ୍ୟମନ୍ତ୍ରୀଙ୍କ ଉପରେ କ୍ରୋଧାନ୍ୱିତ ହୋଇ ବିଭିନ୍ନ ଗୁଜବ ସୃଷ୍ଟି କଲେ। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ସୃଷ୍ଟି କଲେ। ତାଙ୍କର ଲୋଭ ଥିଲା ମୁଖ୍ୟମନ୍ତ୍ରୀ ସିଟ୍‍। ଏଥିରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେ କିଭଳି ବିଶ୍ୱାସଘାତକତା କରିଛନ୍ତି ଜଣାପଡୁଛି। ବିଜୁବାବୁଙ୍କ କର୍ମଭୂମି ଥିଲା ଏହି କେନ୍ଦ୍ରାପଡ଼ା ମାଟି। କେନ୍ଦ୍ରାପଡ଼ାର ବିକାଶ ପାଇଁ ସେ ବହୁତ କାମ କରିଥିଲେ। ବିଜୁ ବାବୁ ତାଙ୍କର ସବୁ କିଛି ଛାଡି ରାଜନୀତିକୁ ଆସିଥିଲେ ଓଡିଶାର ସେବା କରିବା ପାଇଁ। କିନ୍ତୁ ବୈଜୟନ୍ତ ରାଜନୀତି ରେ ଯୋଗ ଦେଇଛନ୍ତି ନିଜ ସମ୍ପତ୍ତି ବୃଦ୍ଧି କରିବା ପାଇଁ।

ବିଜେପି ଯେତେ ବଡ଼ ବଡ଼ ନେତା ବାହାରୁ ଆଣନ୍ତୁ କିଛି ଲାଭ ହେବନାହିଁ। ବାହାରୁ ବଡ଼ ବଡ଼ ନେତା ଆସିବେ ମିଛ କଥା କହିବେ, ଅପପ୍ରଚାର କରିବେ, ସେମାନଙ୍କ କୁମ୍ଭୀର କାନ୍ଦଣାର ଆପଣମାନେ ଉଚିତ ଜବାବ୍‍ ଦିଅନ୍ତୁ। ଆପଣମାନଙ୍କ ଓ ବଳଦେବଜୀଉଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେବେ।