ଜନସାଧାରଣଙ୍କ ସମସ୍ୟା ଦୂର ହେବ; ନବୀନ ଗ୍ୟାରେଣ୍ଟି

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ବସ୍ତାରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ଭୁବନେଶ୍ବର, ୨୮/୦୫: ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ବସ୍ତାରେ ନିର୍ବାଚନ ପ୍ରଚାର କରି ଯୋଡି ଶଙ୍ଖରେ ଭୋଟ୍ ଦେବା ପାଇଁ ଅନୁରୋଧ କରିଛନ୍ତି। ବିରୋଧୀ ଦଳ ଉପରେ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଗତଥର ଯାହାକୁ ସାଂସଦ କରିଥିଲେ, ସେ ଆପଣଙ୍କ ସୁଖଦୁଃଖରେ ସାମିଲ ନାହାନ୍ତି। କିନ୍ତୁ ନବୀନ ବାବୁ ଆପଣଙ୍କ ସୁଖଦୁଃଖରେ ସାମିଲ ଅଛନ୍ତି। ଆପଣମାନଙ୍କ ଯାହାବି ଅସୁବିଧା ଅଛି ତାହା ଦୂର ହେବ, ଏଇଟା ନବୀନବାବୁଙ୍କ ଗ୍ୟାରେଣ୍ଟି। ବାହାରୁ ନେତା ଆସି କହୁଛନ୍ତି କେନ୍ଦ୍ରାପଡ଼ାରେ, ଜଗତସିଂହପୁରରେ ଓ ଭଦ୍ରକରେ ମେଡିକାଲ କଲେଜ କରିବେ। ଯିଏ ୩ ରୁ ୧୩ ଟି ମେଡିକାଲ କଲେଜ କରିଛନ୍ତି, ସେଇ ନବୀନ ବାବୁ ୩୦ଟା ମେଡିକାଲ କଲେଜ ମଧ୍ୟ କରିପାରିବେ। ଏବେ ହାରିବା ଭୟରେ ସେମାନେ ଆସି କହୁଛନ୍ତି ଆମେ ୟୁନିଭରସିଟି କରିବୁ। ୧୦ ବର୍ଷ କ୍ଷମତାରେ ଥିଲେ ଚାହିଁଥିଲେ ଆଗରୁ କରିପାରିଥାନ୍ତେ। ଓଡ଼ିଶାରେ କେନ୍ଦ୍ରଶିକ୍ଷାମନ୍ତ୍ରୀ ହୋଇଛନ୍ତି, ସେ ଓଡ଼ିଶାରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ଇନଷ୍ଟିଚ୍ୟୁଟ କରି ପାରିନାହାନ୍ତି। ନବୀନ ବାବୁ କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକରେ ୟୁନିଭର୍ସିଟି ସ୍ଥାପନ କରିବେ। ୧୦ ବର୍ଷ ହେଲା କେନ୍ଦ୍ର ସରକାର କ’ଣ କରୁଥିଲେ? କାହିଁକି ସେମାନେ ଶୋଇଥିଲେ? ୟୁନିଭରସିଟି ସ୍ଥାପନ କରିବା ତାଙ୍କ କ୍ଷମତା ଭିତରେ ଅଛି କି ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି।
ବିରୋଧି କହୁଛନ୍ତି କେମିକାଲ ପ୍ଲାଣ୍ଟ ପାଇଁ ଆପଣମାନେ ବିସ୍ତାପିତ ହେବେ। ମୁଁ ଏଠାରେ କହି ରଖୁଛି ଯେ, କେମିକାଲ ପ୍ଲାଣ୍ଟ ପାଇଁ ଜଣେ ବି ବିସ୍ତାପିତ ହେବେ ନାହିଁ, ଏହା ନବୀନ ଗ୍ୟାରେଣ୍ଟି। ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବାହାରୁ ଆସୁଥିବା ନେତା ଆସି ବଡ଼ ବଡ଼ କଥା କହୁଛନ୍ତି। ନବୀନ ବାବୁଙ୍କ ମାଗଣା ବିଜୁଳି କଥା ଶୁଣି ବିରୋଧିଙ୍କୁ କରେଣ୍ଟ ଲାଗିଯାଇଛି। ଏବେ କହୁଛନ୍ତି ମାଗଣା ବିଜୁଳି ଦେବେ, ଆପଣ ୫୦ ହଜାର ଟଙ୍କା ଖର୍ଚ୍ଚ କରି ସୋଲାର ପ୍ୟାନେଲ ବସାଇବେ ତାପରେ ସୂର୍ଯ୍ୟକିରଣରୁ ବିଜୁଳି ପାଇବେ, ଦିନରେ ଲଣ୍ଠନ ଦେଖାଉଛନ୍ତି ସେମାନେ। ବସ୍ତା ଓ ବାଳିଆପାଳକୁ ଏନ.ଏ.ସି. ମାନ୍ୟତା ଦିଆଯାଇଛି। କର୍ମୀମାନଙ୍କୁ ଉତ୍ସାହିତ କରି କହିଲେ ଯେ, ଆଗାମୀ ୩ ଦିନ କଠିନ ପରିଶ୍ରମ କରନ୍ତୁ, ବିଜେପି ଦଳ ଆସି ମିଛ କଥା କହିବ, ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେବ, ଅପପ୍ରଚାର କରିବ ଆପଣମାନେ ତା’ର ଦୃଢ଼ ଜବାବ ଦିଅନ୍ତୁ।